ହାତୀପଲ ଚଳପ୍ରଚଳ ସମୟରେ ବିଜୁଳି କାଟ୍‌ ପାଇଁ ନିର୍ଦ୍ଦେଶ : ଶକ୍ତି ବିଭାଗ

ଭୁବନେଶ୍ୱର ,୧୭ା୧୧: ରାଜ୍ୟର ବିଭିନ୍ନ ବନାଞ୍ଚଳରେ ହାତୀମାନେ ଯିବା ଆସିବା କରୁଥିବା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ଉକ୍ତ ସ୍ଥାନଗୁଡିକ ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍‌ ସଂଯୋଗ ଲାଇନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ହାତୀମାନେ ଯେପରି ବିନା ବାଧାରେ କୌଣସି ଦୁର୍ଘଟଣାଗ୍ରସ୍ତ ନ ହୋଇ ବିଚରଣ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ବିଦ୍ୟୁତ୍‌ ବଣ୍ଟନ କରୁଥିବା ସଂସ୍ଥା (ସେସୁ,ୱେସ୍କୋ,ନେସ୍କୋ,ସାଉଥ୍‌କୋ) ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସହ ସମନ୍ବୟ ରଖାଯାଇ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯିବ ବୋଲି ଜଣାପଡିଛି। ହାତୀ ଯିବା ପରେ ଠିକ୍‌ ସୂଚନା ପାଇ ସମ୍ବେଦନଶୀଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ଚାଲୁ କରାଯିବାର ନିଷ୍ପତ୍ତି ନିଆଯାଇଛି।