ହେରାଫେରି-୩ରେ ଖିଲାଡ଼ି!

ବଲିଉଡ୍‌ ମଲଫି ଷ୍ଟାରର୍‌ ଫିଲ୍ମ ହେରାଫେରିର ପ୍ରଶଂସକ ଅନେକ । ଏହି ଫିଲ୍ମର ପ୍ରଥମ ସଂସ୍କରଣଟି ୨୦୦୧ରେ ରିଲିଜ ହୋଇଥିବାବେଳେ ପାଞ୍ଚ ବର୍ଷ ପରେ ଏହାର ଦ୍ୱିତୀୟ ସଂସ୍କରଣ ୨୦୦୬ରେ ପ୍ରେକ୍ଷାଳୟମାନଙ୍କୁ ଓହ୍ଲାଇଥିଲା । ବର୍ତ୍ତମାନ ଫିଲ୍ମର ତୃତୀୟ ସଂସ୍କରଣ ନିର୍ମାଣ ନେଇ କଥା ଆଗକୁ ବଢ଼ିଛି । ‘ହେରାଫେରି’ର ଦୁଇଟି ଯାକୁ ସଂସ୍କରଣରେ ଅକ୍ଷୟ କୁମାର, ପରେଶ ରାୱଲ ଓ ସୁନୀଲ ସେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ଏହି ତିନି କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ । ବର୍ତ୍ତମାନ ଏ ଫିଲ୍ମରେ ଅକ୍ଷୟ କୁମାର ଅଭିନୟ କରିବେ କି ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କାରଣ ଆଗାମୀ ଦିନରେ ଅକ୍ଷୟ ଫିଲ୍ମ କେଶରି, ହାଉସ୍‌ଫୁଲ୍‌-୪, ମିଶନ୍‌ ମଙ୍ଗଲ, ଗୁଡ଼ ନୁ୍ୟଜ୍‌ ଇ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିବେ । ଏକାଧିକ ଫିଲ୍ମରେ କାମ କରିବାକୁ ଥିବାବେଳେ ବର୍ତ୍ତମାନ ଅକ୍ଷୟ ‘ହେରା ଫେରି’ର ତୃତୀୟ ସଂସ୍କରଣରେ କାମ କରିବା ପାଇଁ ରାଜି ହେବେ କି ନାହିଁ ତାକୁ ନେଇ ଏବେ ଆଶା ଆସଙ୍କାରେ ଅଛନ୍ତି ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର । ‘ହେରା ଫେରି’ର ପ୍ରଥମ ସଂସ୍କରଣରେ ପ୍ରିୟଦର୍ଶନ ନିର୍ଦ୍ଦେଶନା ଦେଇଥିବାବେଳେ ଦ୍ୱିତୀୟ ଫିଲ୍ମରେ ନୀରଜ ଭୋରା ନିର୍ଦ୍ଦେଶନା ଦେଇଥିଲେ । ଆଉ ଏବେ ତୃତୀୟ ସଂସ୍କରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଇନ୍ଦ୍ର କୁମାର । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଥିବା ଅକ୍ଷୟ ‘ହେରା ଫେରି-୩’ରେ ଅଭିନୟ କରିବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡ଼ିବ ।