ନୂଆଦିଲ୍ଲୀ,୩୦/୧୧:ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ପରିମାଣ ଡିସେମ୍ବର ୧୧ରେ ଆସିବ। ଏହାକୁ ୨୦୧୯ ଲୋକସଭା ନିର୍ବାଚନର ସେମି ଫାଇନାଲ କୁହାଯାଉଛି। ଏହା ମଧ୍ୟରେ ଦେଶର ସବୁଠୁ ବଡ଼ ରାଜ୍ୟ ତଥା ରାଜନୈତିକ ଦୃଷ୍ଟିକୋଣରୁ ଅତି ମହତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶ ରାଜ୍ୟର ଜନତାଙ୍କ ମୋଡ଼ ଜାଣିବା ପାଇଁ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓ ଓ ସିଏନଏକ୍ସ ମିଳିତ ଭାବେ ସର୍ଭେ କରିଛନ୍ତି। ସର୍ଭେ ମୁତାବକ ୟୁପିର ୮୦ ଲୋକସଭା ବିଶିଷ୍ଟ ସିଟରେ ଯଦି ଆଜି ନିର୍ବାଚନ କରାଯାଏ ତେବେ ଏବଂ ସବୁ ଦଳ ଏକାକୀ ମଇଦାନକୁ ଓହ୍ଲାନ୍ତି ତେବେ ବିଜେପିକୁ ୧୬ଟି ସିଟ୍ କ୍ଷତି ସହିବାକୁ ପଡ଼ିବ।
୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୭୩ଟି ସିଟରେ ବିଜୟ ମିଳିଥିଲା। ମାତ୍ର ସର୍ଭେ ମୁତାବକ ଆଜି ଦଳକୁ ୫୫ ସିଟ୍ ମିଳିବାର ଅନୁମାନ କରାଯାଉଛି। କଂଗ୍ରେସକୁ ୫ଟ ସିଟ୍ ମିଳିବାର ସମ୍ଭାବନା ଥିବା ବେଳେ ଖାତା ଖୋଲି ପାରିନଥିବା ବିଏସପି ଏଥର ୯ ସିଟ୍ ଜିତିପାରେ। ଏସପିକୁ ୪ଟି ସିଟ୍ ଫାଇଦା ମିଳି ଦଳ ୯ଟି ସିଟ୍ ଜିତିପାରେ।
ସୂଚନାଯୋଗ୍ୟ ଟାଇମ୍ସ ନାଓ-ସିଏନଏକ୍ସ ପ୍ରି-ପୋଲ ସର୍ଭେରେ ଜନତାଙ୍କୁ ସେମାନଙ୍କର ପସନ୍ଦର ପ୍ରଧାନମନ୍ତ୍ରୀ ସହିତ ରାମ ମନ୍ଦିର ଓ ରାଫେଲ ଡିଲ ପରି ପ୍ରସଙ୍ଗରେ ମଧ୍ୟ ରାୟ ଜାଣିବାକୁ ଚେଷ୍ଟା କରାଯାଇଥିଲା। କାହାକୁ ଲୋକେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି । ଏହା ଉପରେ ୪୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ, ୨୦ ପ୍ରତିଶତ ରାହୁଲଙ୍କୁ, ୧୧ ପ୍ରତିଶତ ମାୟାଙ୍କୁ ଏବଂ ୧୧ ପ୍ରତିଶତ ମମତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ପିଏମ ମୋଦୀ ଦେଶର ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ମଧ୍ୟ ୟୁପିରେ ତାଙ୍କର ଲୋକ ପ୍ରିୟତା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ରାହୁଲଙ୍କ ଗ୍ରାଫରେ ବୃଦ୍ଧି ଘଟିଛି।
ସର୍ଭେରେ ସାମିଲ ଲୋକଙ୍କୁ ୟୁପିରେ ମହାମେଣ୍ଟର ସମ୍ଭାବନା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। ଏଠାରେ ଜନତାଙ୍କ ସାମ୍ନାରେ ଦୁଇଟି ପରିସ୍ଥିତି ରଖାଯାଇଥିଲା।ଯଦି ଏସପି, ବିଏସପି, କଂଗ୍ରେସ ଓ ଆରଏଲଡି ମିଶି ନିର୍ବାଚନ ଲଢନ୍ତି ତେବେ ମହାମେଣ୍ଟକୁ ୪୯ ସିଟ୍ ମିଳିବାର ସମ୍ଭାବନା ରହିଛି। ଅନ୍ୟ ପଟେ ବିଜେପିକୁ ଅହେତୁକ କ୍ଷତି ସହିବାକୁ ପଡ଼ିପାରେ। ଏମିତି ପରିସ୍ଥିତିରେ ବିଜେପି ନେତୃତ୍ଵାଧୀନ ଏନଡିଏକୁ ୩୧ ସିଟ୍ ମିଳିପାରେ, ଯାହା ୨୦୧୪ ତୂଳନାରେ ୪୨ ସିଟ୍ କମ।
ଯଦି ୟୁପିରେ କଂଗ୍ରେସ ମହାମେଣ୍ଟରେ ସାମିଲ ନହୁଏ ଏବଂ ଏସପି, ବିଏସପି ଓ ଆରଏଲଡି ଏକାଠି ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାନ୍ତି ତେବେ ମଧ୍ୟ ଏନଡିଏର କ୍ଷତି ହେବ। ଯଦି ଏମିତି ହୁଏ ଏମଡିଏକୁ ୨୦୧୪ ତୂଳନାରେ ୨୮ଟି ସିଟ୍ କ୍ଷତି ସହିବାକୁ ପଡ଼ିପାରେ। ଦଳ ୪୫ ସିଟରେ ବିଜୟୀ ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ଏସପି, ବିଏସପି ଓ ଆରଲେଡି ମହାମେଣ୍ଟକୁ ୩୩ ସିଟ୍ ମିଳିପାରେ। ଗତ ନିର୍ବାଚନରେ ୨ଟି ସିଟ୍ ଜିତିଥିବା କଂଗ୍ରେସକୁ ବିଶେଷ କିଛି ଫାଇଦା ମିଳିବାର ସମ୍ଭାବନା ଖୁବ୍ କମ ରହିପାରେ।