ଭୁବନେଶ୍ଵର,୨୭/୩: ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଥିବା ଶାସକ ବିଜୁ ଜନତା ଦଳ ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନଅଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଦଳ ଭୁବନେଶ୍ଵର ଲୋକସଭା ଆସନ ପାଇଁ ବିଜୁ ଯୁବ ବାହିନୀର ମୁଖ୍ୟ ତଥା ପୂର୍ବତନ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଏହି ପରି ଦଳ କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ବିରୋଧରେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହି ଭଳି ପୁରୀ ଲୋକସଭା ଆସନରେ ଦଳ ପୁର୍ନବାର ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ବାଲେଶ୍ଵର ସାଂସଦ ରବିନ୍ଦ୍ର ଜେନା ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ପୁର୍ନବାର ପ୍ରାର୍ଥୀ କରାଯାଇଛି। ଏହା ପୂର୍ବରୁ ଦଳ ନଅଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିଲା। ଏହାକୁ ମିଶାଇ ଦଳ ମୋଟ୍ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଆଜି ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନଅଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏହି ନଅଟି ଆସନରୁ ସାତଟି ନୂତନ ଚେହେରା ଦେଇଛି। ଦଳ ଭୁବନେଶ୍ଵରରୁ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ଅପରାଜିତ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ଵର ଲୋକସଭା ଆସନରେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଥିଲେ। ସେହି ପରି ଦଳ କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ବିରୋଧରେ ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି। ପୁରୀରୁ ବିଜେଡି ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଏଠାରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି।
ଦଳ ମୟୂରଭଞ୍ଜରୁ ରାମଚନ୍ଦ୍ର ହାଁସଦାଙ୍କ ଟିକେଟ୍ କାଟି ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ସେହି ଭଳି ଜଗତସିଂହପୁରରେ ସାଂସଦ କୁଳମଣିଙ୍କ ଟିକେଟ୍ କାଟି ତାଙ୍କ ପରିବର୍ତ୍ତେ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ସମ୍ବଲପୁରରେ ଦଳ ସାଂସଦ ନଗେନ୍ଦ୍ରଙ୍କ ଉପରୁ ଆସ୍ଥା ତୁଟାଇ ନିକଟରେ ପ୍ରଶାସନିକ ସେବାରୁ ଅବସର ନେଇଥିବା ନଳୀନି ପ୍ରଧାନଙ୍କୁ ଟିକେଟ୍ ଦେଇଛି। ସେହି ଭଳି ଯାଜପୁରରେ ରୀତା ତରାଇଙ୍କୁ ପରିବର୍ତ୍ତେ ସସ୍ମିତା ସେଠୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି। ଭଦ୍ରକରୁ ସାଂସଦ ଅର୍ଜୁନଚରଣ ସେଠୀଙ୍କ ବଦଳରେ ମଞ୍ଜୁଲତା ମଣ୍ଡଳକୁ ଦଳ ପ୍ରାର୍ଥୀ କରିଛି। ଦଳ ୮ଟି ଲୋକସଭା ଆସନରେ କେବଳ ଦୁଇଟି ଆସନ ପୁରୀ ଓ ବାଲେଶ୍ଵରରେ ପ୍ରାର୍ଥୀ ଅପରିବର୍ତ୍ତି ରଖିଛି।
ବିଜେଡି ନଅଟି ଲୋକସଭାରୁ ଛଅଟିରେ ବର୍ତ୍ତମାନ ସାଂସଦଙ୍କ ଟିକେଟ୍ କାଟିଛି। ଭୁବନେଶ୍ଵରରୁ ପ୍ରସନ୍ନ ପାଟ୍ଟଶାଣୀ, ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ, ଜଗତସିଂହପୁରରୁ କୁଳମଣୀ ସାମଲ, ଯାଜପୁରରୁ ରୀତା ତରାଇ, ମୟୂରଭଞ୍ଜରୁ ରାମଚନ୍ଦ୍ର ହାଁସଦା,ଭଦ୍ରକରୁ ଅର୍ଜୁନ ଚରଣ ସେଠୀଙ୍କ ଟିକେଟ୍ କାଟିଛି।
ଘୋଷିତ ୯ ଲୋକସଭା ଆସନ
ଭୁବନେଶ୍ଵର- ଅରୂପ ପଟ୍ଟନାୟକ
ମୟୂରଭଞ୍ଜ- ଡାକ୍ତର ଦେବାଶିଷ ମାରାଣ୍ଡି
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ସମ୍ବଲପୁର- ନଳିନୀ ପ୍ରଧାନ
ବାଲେଶ୍ଵର- ରବୀନ୍ଦ୍ର ଜେନା
କେନ୍ଦ୍ରାପଡ଼ା- ଅନୁଭବ ମହାନ୍ତି
ଯାଜପୁର- ଶର୍ମିଷ୍ଠା ସେଠୀ
ପୁରୀ-ପିନାକୀ ମିଶ୍ର
ଭଦ୍ରକ- ମଞ୍ଜୁଲତା ମଣ୍ଡଳ