ଭୁବନେଶ୍ବର,୨୦ /୪ : ଓଡ଼ିଶାରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆଜି ଭୁବନେଶ୍ବର ବିମାନବନ୍ଦରରେ ଆସି ପହଞ୍ଚିଛି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଦେଖା ଦେଇଥିବା ଟିକାର ଅଭାବ ଦୂର ହୋଇପାରିବ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟରେ ଟିକାର ଅଭାବ ଦେଖା ଦେଇଥିଲା। ଏହି କାରଣରୁ କେତେକ ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକାର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଏହାସହିତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଇବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ଏବଂ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ କହିଥିଲେ ଯେ, ରାଜ୍ୟରେ କରୋନା ଟିକାର ଅଭାବ ରହିବନାହିଁ। ଇତି ମଧ୍ୟରେ କେନ୍ଦ୍ର ସରକାର ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ପ୍ରଦାନ ପାଇଁ ଅନୁମତି ଦେଇ ସାରିଛନ୍ତିି। ଏହା ମେ ମାସ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଟିକାର ଚାହିଦାକୁ ଲକ୍ଷ୍ୟ କରି ନିୟମିତ ବ୍ୟବଧାନରେ ରାଜ୍ୟକୁ ଟିକା ପଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।