ଆଜି ହିଞ୍ଜିଳିରେ ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ । ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ । ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ ।

ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଗତ ୨୧ ତାରିଖରେ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ଗୋଟିଏ ନିର୍ବାଚନ ମଣ୍ଡଳୀ ର ସମସ୍ତ ସରକାରୀ ବିଦ୍ୟାଳୟର ରୂପାନ୍ତରୀକରଣ ରେ ହିଞ୍ଜିଳି ସାରା ଦେଶରେ ପ୍ରଥମ । ୫ଟି ସଚିବ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନିକିତା, ସ୍ମୃତିରାଣୀ, ଶିବାନୀ, ଅଞ୍ଜଳି, ଶାଶ୍ବତୀ ସମୀରଣ, ପୂର୍ଣ୍ଣଚନ୍ଦ୍ର ପ୍ରମୁଖ ଛାତ୍ରଛାତ୍ରୀ ରୂପାନ୍ତର କିପରି ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ବିଗୁଣିତ କରିଛି ତାହା ବର୍ଣ୍ଣନା କରିଥିଲେ ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି – ୧) ଗଣେଶ ବିଦ୍ୟାପୀଠ, ଗଣ୍ଡୋଳ ପଞ୍ଚାୟତ ୨) କୃଷ୍ଣଛାଇ ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ, ୩) ଅଲପୁର ହାଇସ୍କୁଲ, ରଲବା ପଞ୍ଚାୟତ ୪) ପଞ୍ଚାୟତ ହାଇସ୍କୁଲ, ଅଲାରିଗଡା ପଞ୍ଚାୟତ ୫) ସରକାରୀ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତ ୬) ଧବଳପୁର ହାଇସ୍କୁଲ, ଧବଳପୁର ପଞ୍ଚାୟତ ୭) ସମଲାଇ ବିଦ୍ୟାପୀଠ, ପୋଡିଙ୍ଗି, ବୁରୁପଡା ପଞ୍ଚାୟତ ୮) ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର ପଞ୍ଚାୟତ ୯) କୁରୁଲା ସରକାରୀ ହାଇସ୍କୁଲ, କୁରୁଲା ପଞ୍ଚାୟତ ୧୦)
ସାରୁ ହାଇସ୍କୁଲ, ସାରୁ ପଞ୍ଚାୟତ ।