ଭୁବନେଶ୍ୱର, ୨୧/୦୪ : ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ପଡିଆବେରଣା ଆଶ୍ରିସାହିର ଉତ୍ତମ ସାହାଣୀ (୩୨)। ୨୦୧୫ ଫେବୃଆରୀ ୯ ତାରିଖରେ ଅଭିଯୁକ୍ତ ଉତ୍ତମ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିଲା । ପରେ ପୀଡିତାଙ୍କୁ ନେଇ ଅନ୍ୟ ଏକ ସ୍ଥାନରେ ରଖିଥିଲା। ଝିଅ ନିଖୋଜ ଥିବା ନେଇ ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ମା’। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୩ ଜଣ ସାକ୍ଷୀଙ୍କ ବୟାନ ଓ ଡ଼ାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।