ବଣାଇ: ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରୀ ଅସୁସ୍ଥ । ଏଭଳି ଏକ ସାଙ୍ଘାତିକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଘଟିଛି । ଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ୧୦୦ ଛାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ସୂଚନା ଅନୁସାରେ, ହଷ୍ଟେଲର ମୋଟ ୨୦୦ରୁ ଅଧିକ ଛାତ୍ରୀ ମଧ୍ୟାହ୍ନ ଖାଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ଭୋଜନରେ ଛାତ୍ରୀମାନଙ୍କୁ ଭାତ ଓ ଡାଲି ଖାଇବାକୁ ଦିଆଯାଇଥିଲା । ଖାଇବାର ଅଳ୍ପ ସମୟରେ ସେମାନେ ଅସୁସ୍ଥ ହୋଇ ପଡ଼ିବା ସହ ଝାଡ଼ା, ବାନ୍ତି ହୋଇଥିଲା । ତେବେ ପ୍ରଥମେ ଛାତ୍ରୀମାନଙ୍କୁ ହଷ୍ଟେଲରେ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କର ଅବସ୍ଥା ବିଗିଡ଼ିବାରୁ ସ୍କୁଲ ପକ୍ଷରୁ ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲ (ଆରଜିଏଚ)କୁ ସ୍ଥାନାନ୍ତର କରାଯାଇଛି ।