୧୦୯ ବସ୍ତା ଗଞ୍ଜେଇ ଜବତ

ଭୁବନେଶ୍ୱର, ୦୬/୦୨ : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୋଲିସ ପକ୍ଷରୁ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି l ସୂଚନା ପ୍ରକାରେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଛିତ ରଖିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଘଣ୍ଟାପଡା ଥାନା ଅଧିକାରୀ ସୌମ୍ୟରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଘଣ୍ଟାପଡା ପୋଲିସ ଦଳ ଏବଂ ଆଇଆରବି ଯବାନ ଜଙ୍ଗଲରେ ପହଞ୍ଚିଥିଲେ l ପୋଲିସ ଆସୁଥିବା ଖବର ପାଇଁ ମାଫିଆମାନେ ଫେରାର ହୋଇଯାଇଥିଲେ l ପୋଲିସ ପାହାଡ଼ ଚଢ଼ି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ସମସ୍ତ ଗଞ୍ଜେଇ ବସ୍ତା ଜବତ କରିଛି l ତେବେ ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲରେ ପୋଲିସ ଓ ଆଇଆରବି ଯବାନ ରାତ୍ରିଯାପନ କରିଥିଲେ l ପାହାଡ଼ ଶୀର୍ଷରୁ ଗଞ୍ଜେଇ ବସ୍ତା ସମତଲ ଅଞ୍ଚଳକୁ ଅଣାଯାଇଛି l ଥାନାଅଧିକାରୀ, ପୋଲିସ କର୍ମଚାରୀ ଏବଂ ଯବାନ ସମସ୍ତେ କାନ୍ଧ ଓ ମୁଣ୍ଡରେ ସମସ୍ତ ଗଞ୍ଜେଇ ବସ୍ତା ବୋହି ଆଣିବା ପରେ ଏକ ପିକଅଫ ଗାଡି ସାହାଯ୍ୟରେ ଘଣ୍ଟାପଡା ଥାନାକୁ ଅଣାଯାଇଛି l ୧୦୯ଟି ପଲିଥିନ ବସ୍ତାରେ ଗଞ୍ଜେଇ ଥିବା ବେଳେ ଜବତ ଗଞ୍ଜେଇର ପରିମାଣ କେତେ ହେବ ତାହା ଓଜନ କଲାପରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l