ଉତ୍ତରପ୍ରଦେଶରେ ୩ ବର୍ଷରେ ୧୧୨ ଏନକାଉଣ୍ଟର କରିଛି ଯୋଗୀ ସରକାର

ନୂଆଦିଲ୍ଲୀ: କାନପୁରରେ ୮ ପୁଲିସ କର୍ମୀଙ୍କୁ ଘେରାବନ୍ଦୀ କରି ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଉତ୍ତରପ୍ରଦେଶରେ ଯୋଗୀ ସରକାର ଗଠନ ପରେ ପୁଲିସ ଏନକାଉଣ୍ଟର ସଂଖ୍ୟା ବଢ଼ିଛି ଓ ୩ ବର୍ଷ ମଧ୍ୟରେ ପୁଲିସ ଏନକାଉଣ୍ଟରରେ ୧୧୨ ତଥାକଥିତ ଅପରାଧୀ ପ୍ରାଣ ହରାଇଛନ୍ତି । କେତେକ କ୍ଷେତ୍ରରେ କିଛି ଏନକାଉଣ୍ଟର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯେମିତି ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ତେବେ ଏକ ପରିସଂଖ୍ୟାନ ଅନୁସାରେ କେବଳ ଉତ୍ତରପ୍ରଦେଶ ନୁହେଁ ସାରା ଦେଶରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୪୦ ଏନକାଉଣ୍ଟର ଏମିତି ହୋଇଛି, ଯାହାକୁ ନେଇ ପ୍ରଶ୍ନ ଉଠିଛି ଓ ଏହାକୁ ନେଇ ମାମଲା ରୁଜୁ ହୋଇଛି ।

ଅଖିଳେଶ ସରକାରଠାରୁ ଯୋଗୀ ସରକାର ଅମଳରେ ୩ ଗୁଣ ଅଧିକ ଏନକାଉଣ୍ଟର

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନେତୃତ୍ୱାଧୀନ ବିଜେପି ସରକାର ଗଠନ ପରଠାରୁ ଅପରାଧ ନିୟନ୍ତ୍ରଣ ନିମନ୍ତେ ପୁଲିସକୁ ଦିଆଯାଇଛି ପୁରା ସ୍ୱାଧୀନତା । ଏନକାଉଣ୍ଟର କରିବା ପାଇଁ ଦିଆଯାଇଛି କ୍ଷମତା । ଏହାର ପ୍ରଭାବରେ ଅପରାଧ ତ କିଛି ପରିମାଣରେ ନିୟନ୍ତ୍ରଣ ହୋଇଛି, ବିବାଦ ମଧ୍ୟ ସୃଷ୍ଟି ହୋଇଛି । ଏପରିକି ଜାମିନରେ ବାହାରେ ଥିବା ଅପରାଧୀ ନିଜର ଜାମିନ ଖାରଜ କରି ପୁଣି ଜେଲକୁ ଫେରି ଆସିଛନ୍ତି । ଆଉ ସ୍ୱଭାବିକ ଭାବରେ ଏନକାଉଣ୍ଟର ହେଲେ ଯେଉଁ ବିବାଦ ସୃଷ୍ଟି ହୁଏ ଅନୁରୂପ ବିବାଦ ସୃଷ୍ଟି ହୋଇଛି । ଯେମିତିକି ଏନକାଉଣ୍ଟରକୁ ଜାଲ, କିମ୍ବା ଅପରାଧୀ ବଦଳରେ ନିର୍ଦୋଷକୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଖିଳେଶ ସରକାରରେ କୌଣସି ବର୍ଷ ଏନକାଉଣ୍ଟର ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚି ନ ଥିବାବେଳେ ଯୋଗୀ ସରକାର ସମୟରେ ୩ ବର୍ଷରେ ଏନକାଉଣ୍ଟରରେ ୧୧୨ ମୃତ୍ୟୁ ଘଟିଛି ।