ଭୁବନେଶ୍ୱର ଏମ୍ସ ରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର,୪/୧୧ : ଭୁବନେଶ୍ୱରସ୍ଥିତ ଏମ୍ସରେ ଆଜି ସକାଳେ ଖଣ୍ଡଗିରି ପୁଲିସ୍‌ ଚଢ଼ାଉ କରି ୧୨ ଦଲାଲଙ୍କୁ ଗିରଫ କରିଛି। ଗିରଫ ୧୨ ଦଲାଲଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବାବେଳେ କିଛି ବଙ୍ଗୀୟ ଯୁବକ ରହିଛନ୍ତି। ରୋଗୀଙ୍କୁ ସହାୟତା ଦେବା ଆଳରେ ଏହି ଦଲାଲମାନେ ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଲୁଟୁଥିଲେ।

କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମ୍ସ ପାଳି। ଭୁବନେଶ୍ୱରସ୍ଥିତ ଏମ୍ସ ଏକ ଜାତୀୟ ସ୍ତରର ହସ୍ପିଟାଲ ହୋଇଥିବା ବେଳେ ଏଠାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ। ଏଠାରେ ଚିକିତ୍ସିତ ହେବାକୁ ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି। ରାତି ରାତି ସେମାନେ ଶୀତ କାକରରେ ପଡ଼ି ରହିଥିବା ବେଳେ ଟିକେଟ ଖଣ୍ଡେ ପାଇଁ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥାନ୍ତି। ଟିକେଟ ଖଣ୍ଡେ ପାଇ ଡାକ୍ତରଙ୍କ ପରାମର୍ଶ କରିବା ନିମନ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥାଏ। ଏହାର ଫାଇଦା ନେଇଥାନ୍ତି ଦଲାଲ।

ସେମାନେ କାଉଣ୍ଟରରେ ଛିଡ଼ା ହୋଇ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ଏପରିକି ଟିକେଟ ପିଛା ୪ରୁ ୫ ହଜାର ଟଙ୍କା ଆଦାୟ କରିଥାନ୍ତି। ଫଳରେ ହନ୍ତସନ୍ତ ହୋଇଥାନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ । ଏପରିକି ଜମିବାଡ଼ି ବିକ୍ରି କରିକି ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଦଲାଲଙ୍କୁ ଦେବାକୁ ବାଧ୍ୟ ହୋଇଥାନ୍ତି।

ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ପୁଲିସ୍‌ ବହୁ ଦିନ ହେବ ଚଢ଼ଉ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲା। ଏଥିନିମନ୍ତେ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଖଣ୍ଡଗିରି ପୁଲିସ୍‌ ସଦଳବଳେ ଆଜି ହସ୍ପିଟାଲ ଉପରେ ଚଢ଼ାଉ କରିଥିବା ବେଳେ ୧୩ ଦଲାଲଙ୍କୁ ଗିରଫ କରିଛି। ଏଥିସହ ଆହୁରି ବହୁ ଦଲାଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

SBI_Festive_Digital Billboard