ଆଖୁ କିଆରୀରେ ବାଛୁରୀକୁ ଗିଳିଦେଲା ୧୨ ଫୁଟର ଅଜଗର

ମୋରାଦାବାଦ,୬/୯ : ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲା ଆଦମପୁର ଥାନା ଅନ୍ତର୍ଗତ ମାଳିପୁରା ଗାଁରେ ଶନିବାର ଅପରାହ୍ନରେ ଆଖୁ କିଆରୀ ଭିତରେ ଏକ ୧୨ ଫୁଟ୍ର ଅଜଗର ନୀଳଗାଈ ବାଛୁରୀକୁ ଗିଳି ଦେଲା | ଯେତେବେଳେ ଅଜଗର ଶିକାର କରୁଥିଲା ସେତେବେଳେ ଜଣେ ଚାଷୀଙ୍କ ଦୁଇ ଝିଅ ତାକୁ ଦେଖିଥିଲେ | ଚାଷୀଙ୍କ ଝିଅମାନେ ନୀଳଗାଈ ବାଛୁରୀକୁ ସାପ ଶିକାର କରୁଥିବା ଦେଖି ଭୟରେ ସେଠୁ ଚିତ୍କାର କରି ଦୌଡ଼ିଥିଲେ | ଯେତେବେଳେ ଗ୍ରାମବାସୀ ସେଠାରେ ପହଞ୍ଚିଲେ ସେତେବେଳକୁ ଅଜଗର ବାଛୁରୀ ଗିଳି ସାରିଥିଲା | ଏହାପରେ ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ | କିନ୍ତୁ ଅନେକ ସମୟ ଯାଏଁ ଅପେକ୍ଷା କରିବା ସତ୍ୱେ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିନଥିଲେ |

ଏହାପରେ ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ପୋଲିସ ଉପସ୍ଥିତିରେ ଅଜଗରର ଲାଞ୍ଜ ଧରି ତାକୁ ଘୋଷାଡ଼ିବା ଆରମ୍ଭ କରିଥିଲେ | ଅଜଗର ନ ମରିବା ଯାଏଁ ତାକୁ ଗାଁଲୋକେ ଘୋଷାଡ଼ି ଥିଲେ | ରାସ୍ତାରେ ହିଁ ତାର ମୃତ୍ୟୁ ହୋଇଥିଲା | ଏହାପରେ ଗଙ୍ଗା କୂଳ ନିକଟସ୍ଥ ଏକ ଜଙ୍ଗଲରେ ତାକୁ ପୋତି ଦେଇଥିଲେ |