ଭୁବନେଶ୍ବର,୨୮/୮: ରାଜ୍ୟରେ ପ୍ରାୟ ୧୩ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଧାର୍ଯ୍ୟ ସମୟ ଭିତରେ ନେଇ ନାହାନ୍ତି। ଏବେ ପ୍ରାୟ ୧୬ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଥିବା ବେଳେ ତହିଁରୁ ୧୩ଲକ୍ଷ ଲୋକ ବିଭିନ୍ନ କାରଣ ପାଇଁ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଛନ୍ତି। ଟିକାର ଅଭାବ, ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଓ କିଛି ବ୍ୟକ୍ତି କରୋନା ସଂକ୍ରମଣ ପାଇଁ ଟିକା ନେବାକୁ ଭୁଲି ଯାଇଥିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧୦,୪୮,୫୭୨ଜଣ ହିତାଧିକାରୀ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ଧାର୍ଯ୍ୟ ସମୟ ଭିତରେ ନେଇ ପାରି ନାହାନ୍ତି। କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ଭିତରେ ୧୧୨ଦିନ ବ୍ୟବଧାନ ରହିଛି। ସେହିପରି କୋଭାକ୍ସିନ୍ ପାଇଁ ୪୨ଦିନ ବ୍ୟବଧାନ ଥିବା ବେଳେ ୨,୪୬,୪୫୫ଜଣ ଟିକା ନେବାକୁ ଭୁଲି ଯାଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ହିତାଧିକାରୀ ଧାର୍ଯ୍ୟ ସମୟରେ ଟିକା ନେଇନାହାନ୍ତି। ଜିଲ୍ଲାରେ ସମୁଦାୟ ୧ଲକ୍ଷ ୪୪ହଜାର ୭୩୯ ହିତାଧିକାରୀ ଧାର୍ଯ୍ୟ ସମୟରେ ଟିକା ନେଇ ନ ଥିବା ବେଳେ ତହିଁରେ ୧.୧୩ଲକ୍ଷ କୋଭିସିଲ୍ଡ ଓ ୩୪,୪୪୮ କୋଭାକ୍ସିନ୍ ହିତାଧିକାରୀ ରହିଛନ୍ତି। ସେହିପରି ମୟୂରଭଞ୍ଜରେ ୬୫,୭୮୧ଜଣ, କୋରାପୁଟ ୬୧,୪୬୨, କଟକ ୫୬,୦୯୯, କେନ୍ଦୁଝର ୫୪,୬୪୮, ବାଲେଶ୍ବର ୪୯,୯୧୪, ଭଦ୍ରକ ୪୬,୬୨୮, ସୁନ୍ଦରଗଡ଼ ୪୩,୫୯୫, କଳାହାଣ୍ଡିରେ ୪୦,୦୬୭ଜଣ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ନେବାକୁ ଭୁଲି ଯାଇଛନ୍ତି।
ସେହିପରି ଭୁବନେଶ୍ବରରେ ୧ଲକ୍ଷ ୧ହଜାର ୭୧୬ଜଣ କୋଭାକ୍ସିନ୍ ଟିକା ନେଇ ନାହାନ୍ତି। ଏଥିରେ ଅଧିକାଂଶ ହିତାଧିକାରୀ ପ୍ରଥମ ଡୋଜ୍ ପରେ କରୋନାରେ ସଂକ୍ରମିତ ହୋଇଥିବା ଓ ଅନେକ ଭୁବନେଶ୍ବର ବାହାରେ ରହୁଥିବା କାରଣରୁ ଦ୍ବିତୀୟ ଡୋଜ୍ ଟିକାକୁ ମିସ୍ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଚଳିତମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କ ସଂଖ୍ୟା ଆହୁରି ୫ଲକ୍ଷକୁ ବୃଦ୍ଧି ପାଇବ। ତେବେ ରାଜ୍ୟ ସରକାର ରାଜ୍ୟରେ ଉପଲବ୍ଧ ହେଉଥିବା ୭୦ ପ୍ରତିଶତ ଟିକାକୁ ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କୁ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଦ୍ବିତୀୟ ଡୋଜ୍ ହିତାଧିକାରୀଙ୍କୁ ଟିକା ପ୍ରଦାନରେ ବିଶେଷ ସମସ୍ୟା ହୋଇ ନ ପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।