ଭୁବନେଶ୍ୱର : ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ “ତ୍ରୟୋଦଶ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ସମାରୋହ – ୨୦୨୫” ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଅଛି । ଏହି ଉତ୍ସବ ଆସନ୍ତା ୨ ତାରିଖରେ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୯ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଓଡ଼ିଶୀ ସଂଗୀତର ଐତିହ୍ୟ ଓ ତାହାର ଉତ୍କଳୀୟ ଧାରାକୁ ଉତ୍ସର୍ଗିତ କରିବା ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରସିଦ୍ଧ ସଂଗୀତଜ୍ଞ, ଗୁରୁ ଓ ଶିଳ୍ପୀମାନେ ନିଜର ଅମୂଲ୍ୟ ପ୍ରଦର୍ଶନ ଓ ଚିନ୍ତନ ଉପସ୍ଥାପନ କରିବେ । ଏହି ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ହେଉଚି ଓଡ଼ିଶୀ ସଙ୍ଗୀତର ଗୌରବମୟ ପରମ୍ପରା ଓ ତାହାର ଅବିରତ ଉନ୍ନତିକୁ ସମର୍ପିତ ହେବା ସହ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦିଗରେ ନିରନ୍ତର ପ୍ରୟାସକୁ ଅଗ୍ରସର କରିବା ।
ପ୍ରତିବର୍ଷ ଏକାଡେମୀ ବାର୍ଷିକ ଉତ୍ସବର ଆୟୋଜନ କରିଥାଏ ଯେଉଁଥିରେ ପାରମ୍ପାରିକ ଓଡ଼ିଶୀ ରାଗର ଏକକ ଏବଂ ଦଳଗତ ନୃତ୍ୟ ପ୍ରଦର୍ଶନ ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ତିନୋଟି ଧାରା ଯଥା ଓଡ଼ିଶୀ, ହିନ୍ଦୁସ୍ତାନୀ ଏବଂ କର୍ଣ୍ଣାଟକୀ ସଙ୍ଗୀତର ବିଶିଷ୍ଟ ସଂଗୀତଜ୍ଞଙ୍କ ଦ୍ୱାରା ମନୋନୀତ ରାଗର ଏକତୁଳନାତ୍ମକ ପ୍ରସ୍ତୁତି ପରିବେଷିତ ହୋଇଥାଏ । ଗୁରୁ ସିଂହରୀ ସମ୍ମାନ, ଭାଗବତୀ ସ୍ମୁତି ସମ୍ମାନ ଏବଂ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ପୁରସ୍କାର ବିଶିଷ୍ଟ ନୃତ୍ୟଶିଳ୍ପୀ, ସଂଗୀତକାର ଏବଂ ସଂଗୀତଜ୍ଞଙ୍କୁ ପ୍ରଦାନ କରାଯାଇଥାଏ । ବାର୍ଷିକ ଉତ୍ସବର ଅତୀତ ସଂସ୍କରଣରେ ବର୍ଣ୍ଣିତ ରାଗମାନଙ୍କ ମଧ୍ୟରେ ଆଭିରି, ବିଚିତ୍ର ଦେଶାକ୍ଷ, ଚିନ୍ତକାମୋଦି, ରାଗ ଦେବକିରି, ଧନାଶ୍ରି, ଖମ୍ବାବତୀ, ଖଣ୍ଡକମୋଦୀ, ମାଳବ, ମଙ୍ଗଳ କମୋଦି ଆଦି ଅନ୍ୟତମ ।

ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀର ଶିଳ୍ପୀମାନଙ୍କ ଦ୍ଵାରା ରାଗ ଖଣ୍ଡ କାମୋଦି ଉପରେ ପର୍ଯ୍ୟବେଷିତ ଓଡ଼ିଶୀ ବୃନ୍ଦ ଗାୟନ ଯାହା ଭବିଷ୍ୟତର ଓଡ଼ିଶାର କଳାକାରଙ୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ଗଠନ ଦିଗରେ ଏକାଡେମୀର ପ୍ରୟାସରକୁ ପ୍ରତିଫଳିତ କରିଥିଲା । ପରେ ପରେ କୁଳମଣି ସାହୁ ଓ ସାଥିଙ୍କ ଦ୍ଵାରା ବାଦ୍ୟ ବାଣୀ ବନ୍ଦନା ପରିବେଶିତ ହୋଇଥିଲା ଯେଉଁଥିରେ ବାଦ୍ୟ ସହିତ କଣ୍ଠ ସଙ୍ଗୀତର ଅପୂର୍ବ ସମ୍ମନୟ ଦେଖିବାକୁ ମିଳିଥିଲା । ଉଦ୍ଘାଟନୀ ସନ୍ଧ୍ୟାର ଅନ୍ତିମ ଉପସ୍ଥାପନରେ ଥିଲା ଓଡ଼ିଶୀ ଏକକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ରାହୁଲ ଆଚାର୍ଯ୍ୟ । ତାଙ୍କ ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟର ସୂକ୍ଷ୍ମ ଅଳଙ୍କାରିକ ଅଙ୍ଗଭଙ୍ଗୀ ବେଶ୍ ନିଖୁଣ ଭାବରେ ବାରି ହେଉଥିଲା ।
ଉଦ୍ଘାଟନୀ ଉତ୍ସବର ଅତିଥିମାନେ ଥିଲେ ଆଇ.ଜି.ଏନ୍.ସି.ଏର ଅଧକ୍ଷ ଡ଼କ୍ଟର କିଶୋର କୁମାର ବାସା, ଓଡିଶା ବିଧାନ ସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ବିଶିଷ୍ଟ ସଂଗୀତକାର ତଥା ସଂଗୀତ ନିର୍ଦ୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ୍, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ, ଗବେଷକ, ସଂଗୀତକାର ଏବଂ ଗୁରୁ ଗୋପାଳ ପଣ୍ଡା
ଓଡ଼ିଶୀ ଏକାଡେମୀର ପ୍ରତିଷ୍ଠାତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପ୍ରସିଦ୍ଧ ଓଡ଼ିଶୀ କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୀଲା ମହାପାତ୍ର । ସଙ୍ଗୀତା ପଣ୍ଡା କାର୍ଯ୍ୟକ୍ରମଟିର ପରିକଳ୍ପନା ଓ ପରିଚାଳନା କରିଥିଲେ ।