କଟକ ବିଜେଡିରେ କନ୍ଦଳ : ପ୍ରଭାତ-ସୌଭିକଙ୍କ ସମର୍ଥନରେ ବାହାରିଲେ କର୍ପୋରେଟର୍

ଭୁବନେଶ୍ୱର, ୨୪/୦୩ : ରାଜ୍ୟସଭା ନିର୍ବାଚନ ପରେ ବିଜେଡ଼ି ଓ କଂଗ୍ରେସରେ ଜୋରଦାର କନ୍ଦଳ ଆରମ୍ଭ ହୋଇଯାଇଛି । କଟକର ବାପା-ପୁଅ ଯୋଡ଼ି ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳଙ୍କ ସମର୍ଥନରେ ଏବେ ଏକାଧିକ କର୍ପୋରେଟର୍ । ପ୍ରାୟ ୧୪ ଜଣ କର୍ପୋରେଟର୍ ବିଜେଡ଼ି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ଆଜି ସିଏମସି ମେୟର ସୁବାସ ସିଂଙ୍କ ସମେତ କିଛି କର୍ପୋରେଟର୍ ଏସସିବି ଘଟଣାକୁ ନେଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇଥିଲେ । ଏଥିରେ କଟକ-ଚୌଦ୍ୱାରର କୌଣସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ସେପଟେ ପ୍ରଭାତ ଏବଂ ସୌଭିକଙ୍କ ପାଇଁ ସମସ୍ତ କର୍ପୋରେଟର୍ ଏକାଠି ହୋଇଛନ୍ତି । ଯେଉଁଭଳିଭାବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ତାହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କର୍ପୋରେଟର୍ ଅରବିନ୍ଦ ଜେନା । ସେହିପରି ବିଶ୍ୱ ବନ୍ଦିତା ପଣ୍ଡା କହିଛନ୍ତି ବିଜେଡ଼ିରେ ନେତା କହିଲେ ସେମାନେ ପ୍ରଭାତ ବିଶ୍ୱାଳଙ୍କୁ ବୁଝନ୍ତି । ବହିଷ୍କାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସୁପ୍ରିମୋଙ୍କୁ ଚିଠି ଲେଖିଛନ୍ତି । ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସମସ୍ତ କର୍ପୋରେଟର୍ ମାନେ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ଯଦି ଏହା ସତ ହୁଏ ତେବେ ବିଜେଡ଼ିକୁ ଏକ ଶକ୍ତ ଝଟକା ଲାଗିବ । ମେୟର ସୁବାସ ସିଂ କହିଛନ୍ତି ଯେ ଯେଉଁମାନେ ବିଜେଡ଼ିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିଲେ ସେମାନେ ଚାଲିଗଲେ ଦଳ ଉପରେ କିଛି ଫରକ ପଡ଼େନା ବରଂ ବିଜେଡ଼ି ଆହୁରି ଶକ୍ତି ହେଉଛି । ଗତକାଲି ସହରର ବିଭିନ୍ନ ସ୍ଥାନରେ ସୌଭିକ ବିଶ୍ୱାଳ ଏବଂ ପ୍ରଭାତ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଖାଲି ସେତିକି ନୁହେଁ ଗତକାଲି କଟକ ଜିଲ୍ଲାର ତିନି ପ୍ରମୁଖ ବିଧାୟକ ସୋଫିଆ ଫିର୍ଦ୍ଦୋସ, ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କ ବିରୁଦ୍ଧରେ ପ୍ରତିବାଦ କରାଯାଇଥିଲା । ସମସ୍ତ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲା ।