କଟକ: ଗୁଜରାଟ ଟ୍ରାଜେଡ଼ି ପରେ ଚେତିଛି କଟକ ଜିଲ୍ଲା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା । ଧବଳେଶ୍ୱରକୁ ସଂଯୋଗ କରୁଥିବା ଝୁଲା ପୋଲର କେତେକ ଅଂଶ ଦୁର୍ବଳ ଥିବା ନେଇ ବୈଷୟିକ ଟିମ୍ ଯାଞ୍ଚ କରିବା ପରେ ଏହି ପୋଲ ଦେଇ ଯାତାୟାତକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି ।
ଆଠଗଡ଼ ଉପଜିଲ୍ଲାପାଳ ୧୪୪ ଧାରା ଜାରି କରଯାଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଡଙ୍ଗାରେ ଧବଳେଶ୍ୱର ପୀଠ ଆସିବା ମଧ୍ୟ ବିପଦପୂର୍ଣ୍ଣ ହୋଇଥିବାରୁ ଯାତ୍ରୀମାନଙ୍କୁ ପୀଠକୁ ଆସିବା ନିମନ୍ତେ ବାରଣ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ତାଙ୍କର ଦାୟିତ୍ୱ ।
ତାଙ୍କ ସୂଚନାନୁଯାୟୀ, ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ଷ୍ଟେ ରୋପକୁ ଧରି ରଖିଥିବା ୧୨ଟି ପିଲରର ଅବସ୍ଥା ସଙ୍କଟାପନ୍ନ ରହିଛି । ଅର୍ଥାତ୍ ଝୁଲାପୋଲ ଯାହା ଭରସାରେ ଝୁଲି ରହେ ତାହା ବିପଦସଙ୍କୁଳ ହୋଇପଡ଼ିଛି । କୋଲକତାରୁ ବୈଷୟିକ ଟିମ୍ ଆସି ପୋଲର ଯାଞ୍ଚ କରିବା ପରେ ଏହା ଦୁର୍ବଳ ଥିବା ଜଣାପଡ଼ିଛି । ତେଣୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ତେବେ ପୂର୍ବରୁ ଏହି ପୋଲ ଦେଇ ଏକକାଳୀନ ୬ଶହରୁ ୭ଶହ ଶ୍ରଦ୍ଧାଳୁ ଯାଉଥିବାବେଳେ ଏହାକୁ ହ୍ରାସ କରଯାଇ ୨ଶହରେ ସୀମିତ ରଖାଯାଇଥିଲା । ପରେ ପୀଠକୁ ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଉପରେ କଟକଣା ଜାରି କରାଯାଇଛି ।
