କବାଡ଼ିଆକୁ ପଠାଯିବ ୧୫ବର୍ଷର ସରକାରୀ ଗାଡ଼ି

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମହାରାଷ୍ଟ୍ରର ନାଗପୁରରେ ବାର୍ଷିକ ଏଗ୍ରୋ-ଭିଜନ କୃଷି ପ୍ରଦର୍ଶନୀ ଉଦଘାଟନୀ ସମାରୋହରେ କହିଛନ୍ତି ଯେ, ଭାରତ ସରକାର ଏବେ ସରକାରୀ ବିଭାଗରେ ଚାଲୁଥିବା ୧୫ ବର୍ଷ ପୁରୁଣା ଯାନକୁ ହଟାଇ ଦିଆଯିବ । ଗଡକରୀ କହିଛନ୍ତି ଯେ ଏଭଳି ପୁରୁଣା ଗାଡି ଆଉ ରାସ୍ତାରେ ଚାଲିବ ନାହିଁ । ସେ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ଗାଡି ହଟାଇବା ନୀତି ସବୁ ରାଜ୍ୟକୁ ପଠାଯାଇଛି । ସେ କହିଛନ୍ତି ଯେ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ଅଧୀନରେ ଆସୁଥିବା ବିଭାଗର ୧୫ ବର୍ଷ ପୁରୁଣା ଯାନବାହନ ବନ୍ଦ କରିବା ଉଚିତ୍ ।

ଖବର ଅନୁଯାୟୀ, ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ସେ ସରକାରୀ ବିଭାଗରୁ ୧୫ ବର୍ଷ ପୁରୁଣା ଗାଡି ହଟାଇବା ନେଇ ମଧ୍ୟ ଫାଇଲରେ ଦସ୍ତଖତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଅପସାରିତ ଯାନଗୁଡିକ କବାଡ଼ିଆକୁ ପଠାଯିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଗାଡିଗୁଡିକ ହଟାଇବା ନୀତି ରାଜ୍ୟଗୁଡିକ ଗ୍ରହଣ କରିବା ଉଚିତ୍ ।