ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା : ୧୮ ମୃତ୍ୟୁ

0

ନୂଆଦିଲ୍ଲୀ, ୧୬/୦୨ : ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀଙ୍କ ଅସମ୍ଭାଳ ଭିଡ ଯୋଗୁ ନୂଆ ଦିଲ୍ଲୀ ଷ୍ଟେସନରେ ଦଳା ଚକଟା ହୋଇଛି । ଏଥିରେ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୯ଜଣ ମହିଳା, ୪ଜଣ ପୁରୁଷ ଓ ୩ ଜଣ ଶିଶୁ ଅଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସପ୍ତାହାନ୍ତ ଯୋଗୁଁ ଷ୍ଟେସନରେ ପ୍ରବଳ ଭିଡ଼ ଥିବା ସୂଚନା ମିଳିଛି । ପ୍ରୟାଗରାଜ ଯିବା ପାଇଁ ପ୍ରବଳ ଶ୍ରଦ୍ଧାଳୁ ଜମା ହୋଇଥିଲେ । କିଛି ଯାତ୍ରୀ ମିଛ ଗୁଜବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଗୁଜବ ପରେ ଯାତ୍ରୀଙ୍କ ମଧ୍ୟରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ପ୍ଲାଟଫର୍ମ ୧୩, ୧୪ ରେ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨ଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି ।

ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଦଳାଚକଟା ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ପହଞ୍ଚିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋ ଲିସ ଓ ଆର୍‌ପିଏଫ୍‌ ସହାୟତାରେ ଜରୁରି ପଦକ୍ଷେପ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ପ୍ରୟାଗରାଜ ଏକ୍ସପ୍ରେସ୍‌ ଯେତେବେଳେ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଠିଆ ହୋଇଥିଲା ସେତେବେଳେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ଥିଲା । ସେହିପରି ‘ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ୍’ ଓ ‘ରାଜଧାନୀ ଏକ୍ସପ୍ରେସ୍’ ମଧ୍ୟ ବିଳମ୍ବିତ ହୋଇଥିବା ବେଳେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଯାତ୍ରୀଙ୍କ ଭିଡ଼ ରହିଥିଲା । ଏହି ସମୟରେ ପ୍ରାୟ ୧୫୦୦ ଜେନେରାଲ ଟିକେଟ୍‌ ବିକ୍ରି ହୋଇ ଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ପ୍ଲାଟ୍‌ଫର୍ମ ନମ୍ବର ୧୪ ଓ ୧ ନିକଟରେ ଥିବା ଏସ୍କାଲେଟର୍‌ ନିକଟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ଚଢ଼ିଯାଇଥିଲେ । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.