ଗୌହାଟୀ ଏମ୍‌ସ ହସ୍ପିଟାଲକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ : ଆସାମର ଗୌହାଟୀରେ ୧,୧୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏମ୍‌ସ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ନଲବାଡ଼ି, ନାଗାଓଁ ଓ କୋକରାଝରରେ ୩ଟି ମେଡିକାଲ କଲେଜକୁ ବି ଭର୍ଚୁଆଲ୍‌ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଆସାମର ପ୍ରସିଦ୍ଧ ବିହୁ ପର୍ବ ଉପଲକ୍ଷେ ଗୌହାଟୀରେ ପହଞ୍ଚିଥିଲେ । ଏଠାରେ ସେ ମୋଟ ୧୪,୩୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ଆସାମର ୩୧ ଜିଲ୍ଲାରୁ ୧୧,୦୦୦ରୁ ଅଧିକ କଳାକାର ଏକସଙ୍ଗେ ବିହୁ ନୃତ୍ୟ ଓ ପ୍ରସିଦ୍ଧ ବାଦ୍ୟ ପରିବେଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏମ୍‌ସ ହସ୍ପିଟାଲର ଉଦ୍‌ଘାଟନ କରି ଜନସଭାକୁ ଉଦ୍‌ବୋଧନ ଦେଇଥିଲେ । ସେ କହିଥିଲେ, ଉତ୍ତର-ପୂର୍ବ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଜି ନୂଆ ଶକ୍ତି ମିଳିଛି । ଉତ୍ତର-ପୂର୍ବକୁ ନିଜର ପ୍ରଥମ ଏମ୍‌ସ ପ୍ରାପ୍ତ ହୋଇଛି । ଏଥିସହ ଆସାମକୁ ୩ଟି ମେଡିକାଲ କଲେଜ ବି ମିଳିଛି । ଏଠାକାର ଲୋକମାନେ ବିକାଶ ମନ୍ତ୍ର ନେଇ ଆଗକୁ ବଢ଼ୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଙ୍କ ନୀତିଗୁଡ଼ିକ ଯୋଗୁ ଡାକ୍ତର ଓ ସ୍ୱାସ୍ଥ୍ୟ ପେସାଦାରଙ୍କ ଅଭାବ ଥିଲା । ଭାରତରେ ଗୁଣଯୁକ୍ତ ସେବା ଯୋଗାଣ ପାଇଁ ଏହା ବଡ଼ ପ୍ରତିବନ୍ଧକ ସାଜୁଥିଲା । ତେଣୁ ବିଗତ ୯ ବର୍ଷରେ ଆମ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ଉପରେ ଫୋକସ୍‌ କରିଛନ୍ତି । ୨୦୧୪ ପୂର୍ବର ୧୦ ବର୍ଷରେ ପ୍ରାୟ ୧୫୦ ମେଡିକାଲ କଲେଜ ସ୍ଥାପନ ହୋଇଥିଲା । ବିଗତ ୯ ବର୍ଷରେ ପ୍ରାୟ ୩୦୦ ନୂଆ ମେଡିକାଲ କଲେଜ ଗଢ଼ିଉଠିଛି । ଦେଶବ୍ୟାପୀ ଏମ୍‌ବିବିଏସ୍‌ ସିଟ୍‌ ବି ଦୁଇଗୁଣା ବଢ଼ି ୧ ଲକ୍ଷରୁ ଅଧିକ ହୋଇଛି । କିଛି ଲୋକ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କୁ ଶ୍ରେୟ ମିଳୁନାହିଁ । କେବଳ ଶ୍ରେୟ ନେବାକୁ ସେମାନେ ଭୋକିଲା ଥିବାରୁ ଉତ୍ତର-ପୂର୍ବ ସେମାନଙ୍କଠାରୁ ଦୂରରେ ଥିଲା ।

SBI AD