ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ

ଭୁବନେଶ୍ୱର, ୧୮/୦୨ : ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ-ମୁର୍ଷୁଣ୍ଢୀ ରାସ୍ତା ହିଲୁଙ୍ଗ ଛକ ନିକଟରେ ବାଇକ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ଏବଂ ଆଉ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବା ସମୟରେ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ହରିହର ଜୋର ଫାଣ୍ଡି ଅଧୀନସ୍ଥ କେଶଲଗା ବଡ଼ମାଲ ଗ୍ରାମର ଅଗସ୍ତି ଭୋଇ (୩୦), ହିଙ୍ଗୁଳ ଗ୍ରାମର ଭଗବାନ ସେଠୀ ଏବଂ ବଙ୍କିଆ ଗ୍ରାମର ଚନ୍ଦନ ଭୋଇ । ଗତକାଲି ସନ୍ଧ୍ୟା ସମୟରେ କେଶଲଗା ବଡ଼ମାଲ ଗାଁର ଅଗସ୍ତି ଭୋଇ ଓ ହିଲୁଙ୍ଗ ଗ୍ରାମର ଭଗବାନ ସେଠୀ ହିଲୁଙ୍ଗକୁ ଆସୁଥିଲେ। ସେହି ସମୟରେ ବୀରମହାରାଜପୁର ପାର୍ଶ୍ୱରୁ ମୁର୍ଷୁଣ୍ଢୀ ଗ୍ରାମର କିଙ୍ଗକଙ୍ଗ କୁମ୍ଭାର (୨୦), ବଙ୍କିଆ ଗ୍ରାମର ରିଙ୍କୁ ଭୋଇ (୨୦) ଓ ଶିବ ଜଗଦଲା (୨୨) ଆଉ ଏକ ବାଇକରେ ଯାଉଥିଲେ। ହିଲୁଙ୍ଗ ଛକ ନିକଟରେ ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଅଗସ୍ତି ଭୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ।

ଏହାପରେ ସ୍ଥାନୀୟ ଲୋକ ସହାୟତାରେ ଭଗବାନ ସେଠୀ, କିଙ୍ଗକଙ୍ଗ କୁମ୍ଭାର, ରିଙ୍କୁ ଭୋଇ ଏବଂ ଶିବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଙ୍ଗକଙ୍ଗ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଭଗବାନ, ରିଙ୍କୁ ଓ ଶିବଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପରେ ଭଗବାନ ସେଠୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର ପାଇଁ ନେଉଥିବା ସମୟରେ ମୃତ୍ୟୁ ହୋଇଥିଲା। ସେହିଭଳି ବୁର୍ଲା ଡାକ୍ତରଖାନାରେ ଚନ୍ଦନ ଭୋଇଙ୍କର ମୃତ୍ୟୁ ଘଟିଥିଲା। ଶିବ ଜଗଦଲା ଏବେବି ଚିକିତ୍ସାଧୀନ ଅଛନ୍ତି । ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତକ ଜଣକ ହେଲେ ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଚୁପକାଦାଦାର ଗାଁର କେଶବ ପଧାନଙ୍କ ସାନ ପୁଅ ସୁଶାନ୍ତ ପଧାନ (୩୪) l ସୁଶାନ୍ତ ଏବଂ ତାଙ୍କ ମାମୁଁଙ୍କ ସହିତ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।