ନୂଆଦିଲ୍ଲୀ : ପାକିସ୍ତାନ ଦୂତାବାସର ୨ ଜଣ ଅଧିକାରୀ ଗୁପ୍ତଚର କାମ କରିଥିବା ଅଭିଯୋଗ ହୋଇଛି । ଭାରତ ଦୁଇ ପାକିସ୍ତାନୀ ଅଧିକାରୀଙ୍କ ପର୍ସୋନା-ନନ ଗ୍ରେଟା ଘୋଷିତ କରିଛି । ଉଭୟଙ୍କୁ ସୋମବାର ଭାରତ ଛାଡ଼ିବାକୁ କୁହାଯାଇଛି । ଏ ସଂକ୍ରାନ୍ତରେ ପାକିସ୍ତାନ ଉପରାଜଦୂତଙ୍କୁ ଏକ ଆପତ୍ତିପତ୍ର ମଧ୍ୟ ଜାରି କରାଯାଇଛି । ଏଥିରେ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥି ସହିତ କୁହାଯାଇଛି ଯେ, ପାକିସ୍ତାନର ରାଜନୟିକ ମିଶର କୌଣସି ସଦସ୍ୟ ଭାରତ ବିରୋଧୀ ଗତିବିଧିରେ ଲିପ୍ତ ନ ହୁଅନ୍ତୁ ଏବଂ ନିଜର ସ୍ଥିତିରେ ଅସଙ୍ଗତ ବ୍ୟବହାର ନ କରନ୍ତୁ ।
ଦିଲ୍ଲୀର କରୋଲ ବାଗରୁ ଧରାପଡ଼ିଥିବା ଆବିଦ ହୁସେନ ଓ ତାହିର ହୁସେନ ପାକିସ୍ତାନ ଦୂତାବାସର ଭିସା ବିଭାଗରେ କାମ କରୁଥିଲେ । ବିଦେଶ ମନ୍ତ୍ରାଳୟର କହିବା ଅନୁସାରେ ଭାରତୀୟ ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଏହି ଦୁଇ ଜଣଙ୍କୁ ଗୁପ୍ତଚର କାମ କରୁଥିବା ବେଳେ ଧରିଥିଲେ । ଏହି ୨ ଅଧିକାରୀଙ୍କ ଉପରେ ବହୁଦିନରୁ ଏଜେନ୍ସିର ନଜର ଥିଲା । କୁହାଯାଉଛି ଯେ, ଏହି ୨ ଜଣ ଆର୍ମି ପର୍ସନାଲକୁ ଟାର୍ଗେଟ କରୁଥିଲେ ଏବଂ ତାଙ୍କର ତାଲିକାକୁ ଆଇଏସଆଇକୁ ଦେଉଥିଲେ ।
ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଉପରେ ପାକିସ୍ତାନ ଭାରତ ଉପରେ ଷଡଯନ୍ତ୍ର ଅଭିଯୋଗ ଆଣିଛି । ପାକିସ୍ତାନ କହିଛି ଯେ, ଏହା ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ପାକିସ୍ତାନ ବିରୋଧ ପ୍ରଚାରର ଏକ ଅଂଶବିଶେଷ । ପାକିସ୍ତାନୀ ଦୂତାବାସରେ କାମ କରୁଥିବା ଆବିଦ ପାଖଷର ଦିଲ୍ଲୀର ଗୀତା କଲୋନୀର ନାସିର ଗୌତମ ନାମରେ ଜଣେ ବ୍ୟକ୍ତିଙ୍କର ଆଧାରକାର୍ଡ ମିଳିଛି ।