ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାଂସଦଙ୍କୁ ମନ୍ତ୍ରୀପଦ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ୨୦ ପଦାଧିକାରୀ

ମହାରାଷ୍ଟ୍ର,୧୧/୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବେ ବିଜେପି ଆଭ୍ୟନ୍ତରିଣ ଅସନ୍ତୋଷର କାରଣ ପାଲଟିଛି। ମହାରାଷ୍ଟ୍ର ବିଡ଼ ଜିଲ୍ଲାରୁ ନିର୍ବାଚିତ ସାଂସଦ ପ୍ରିତମ ମୁଣ୍ଡେ ଖଡେଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନାହିଁ। ଏଣୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ନିରାଶ ହୋଇଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି। ଜନୈକ ଦଳୀୟ ନେତା ରବିବାର ଏହି ସୂଚନା ଦେଇଛନ୍ତି।

ଅସନ୍ତୁଷ୍ଟ ପଦାଧିକାରୀଙ୍କ ମଧ୍ୟରେ ବିଡ଼ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଜଣେ କର୍ପୋରେଟର ମଧ୍ୟ ଅଛନ୍ତି। ଏମାନେ ନିଜନିଜର ଇସ୍ତଫା ପ୍ରଦାନ ଲାଗି ମୁମ୍ବାଇ ଉଦ୍ଦେଶ୍ୟରେ ବାହାରିଯାଇଥିବା ସୂଚନା ମିଳିଛି। ତେବେ ଏହି କାର୍ଯ୍ୟକର୍ତ୍ତାଙ୍କ ପୂର୍ବରୁ ବିଡ ଜିଲ୍ଲା ପରିଷଦର ଜଣେ ସଦସ୍ୟ ଓ ପଞ୍ଚାୟତ ସମିତିର ଜଣେ ସଦସ୍ୟ ଇସ୍ତଫା ଦେଇସାରିଛନ୍ତି। ଏହା ଛଡା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ବିଜେପି ଯୁବ ଶାଖା ସଭାପତି, ଉପସଭାପତି, ଜିଲ୍ଲା ଉପାଧ୍ୟକ୍ଷ ଓ ତହସିଲ ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି।

ବିଡ଼ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସରଜେରାଓ ଟାଣ୍ଡଲେ କହିଛନ୍ତି ଯେ ପ୍ରିତମ ମୁଣ୍ଡେଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାର ଥିଲା। ତେବେ ଚୂଡାନ୍ତ ପର୍ଯ୍ୟାୟରେ ତାଙ୍କ ନାମ ବାହାର କରିଦିଆଯାଇଥିଲା। ଜିଲ୍ଲା ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ପ୍ରିତମ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଆନ୍ତୁ ବୋଲି ଚାହୁଁଥିଲେ। ହେଲେ ତାଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟରେ ବି ଘୋଷଣା ନ ହେବାରୁ ଏହାକୁ ବିରୋଧ କରି ଆମେ ଇସ୍ତଫା ଦେଇଛୁ ବୋଲି ଟାଣ୍ଡଲେ କହିଛନ୍ତି।

ବିଜେପି ଜାତୀୟ ସାଧାରଣ ସମ୍ପାଦକ ପଙ୍କଜା ମୁଣ୍ଡେ ତାଙ୍କ ଭଉଣୀ ଓ ପ୍ରିତମଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରା ନଯିବାରୁ ଅସନ୍ତୁଷ୍ଟଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ନିଜକୁ ଓ ନିଜ ଭଉଣୀଙ୍କୁ ପାର୍ଟି ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ଏଣୁ ପାର୍ଟି ଦ୍ୱାରା ହୋଇଥିବା ଯେ କୌଣସି ନିଷ୍ପତ୍ତିକୁ ସେମାନେ ସ୍ୱୀକାର କରନ୍ତି ବୋଲି କହିଛନ୍ତି।