ଭୁବନେଶ୍ୱର, ୧୦/୦୮ : ଭିଡ଼ଜନିତ ସମସ୍ୟା ଏଡାଇବା ପାଇଁ ଭାରତୀୟ ରେଳପଥ ଏକ ନୂତନ ଯୋଜନା ‘ରାଉଣ୍ଡ୍ ଟ୍ରିପ୍ ପ୍ୟାକେଜ ଫର୍ ଫେଷ୍ଟିଭାଲ ରଶ୍’ ଆରମ୍ଭ କରିଛି। ରେଳଯାତ୍ରୀ ଯିବା ଓ ଆସିବା ପାଇଁ ଏକାଥରେ ରେଳ ଟିକେଟ ବୁକ୍ କଲେ ୨୦ ପ୍ରତିଶତ ରିହାତି ଦିଆଯିବ। ରେଳ ମନ୍ତ୍ରଣାଳୟ ଏହି ରାଉଣ୍ଡ ଟ୍ରିପ୍ ପ୍ୟାକେଜ ସମ୍ପର୍କରେ ଘୋଷଣା କରିଛି। ଏହି ଯୋଜନା ଅନୁସାରେ, ଏହି ରିହାତି କେବଳ ସେହି ଯାତ୍ରୀମାନଙ୍କୁ ଦିଆଯିବ, ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଆସିବା ଓ ଯିବା ପାଇଁ ଟିକେଟ ବୁକ୍ କରିବେ। ଉଭୟ ଟିକେଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେଶନ ଯୋଡ଼ା ହେବା ଉଚିତ। ଯିବା ଯାତ୍ରା ଟିକେଟ ଅକ୍ଟୋବର ୧୩ରୁ ୨୬ ମଧ୍ୟରେ ଏବଂ ଫେରିବା ଟିକେଟ ନଭେମ୍ବର ୧୭ରୁ ଡିସେମ୍ବର ୧ ମଧ୍ୟରେ ହେବା ଆବଶ୍ୟକ।