୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : କନ୍ଧମାଳରୁ ବୌଦ୍ଧକୁ ହେଉଥିଲା ଚାଲାଣ

ଫୁଲବାଣୀ,୮/୮: କନ୍ଧମାଳ ଜିଲା ଗୋଛାପଡା ପୁଲିସ୍ ବେଆଇନ୍ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଗୋଛାପଡା ଅଞ୍ଚଳରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ପାଇଁ କେନ୍ଦୁଗୁଡା ଗ୍ରାମରେ ଗଞ୍ଜେଇ ରଖା ଯାଇଥିବା ଖବର ପାଇ ପୁଲିସ୍ ଚଢାଉ କରିଥିଲା। ଚଢାଉ ବେଳେ ଏକ ପିକ୍ଅପ ରେ ୧୩ଟି ବସ୍ତାରେ ୮କ୍ୟୁଣ୍ଟାଲ୍‌ ୫୦ କିଲୋ ଗଞ୍ଜେଇ ପାଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ସୂଚନା ଦିଆଯାଇଛି।

ଜବତ ଗଂଜେଇକୁ ରଖିଥିବା ଅଭିଯୁକ୍ତ ନରତୋମ ପଲାଇ ଗିରଫ କରି ୪୬/୨୦୨୦ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି। କନ୍ଧମାଳ ଏସ୍‌ପିଙ୍କ ନିର୍ଦେଶ ଅନୁଯାୟୀ ଏହି ଚଢାଉ ପାଇଁ ୨ଟି ଟିମ୍ ଗଠନ କରାଯାଇଥିବା ବେଳେ ଗୋଟିଏ ଟିମ୍ ରେ ଏସ୍ଡ଼ିପିଓ ଶ୍ରୀ ମୁର୍ମୁ ଓ ଅନ୍ୟଏକ ଟିମରେ ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ନାୟକ ଥିବା ପ୍ରକାଶ। ତେବେ ପୁଲିସ୍ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ କେତେକ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ପ୍ରକାଶ।