ଭୁବନେଶ୍ୱର : ରାଜ୍ୟ ସରକାର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୦ ମାସର ବିଜେପି ସରକାରରେ ୨୨,୫୦୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଚଳିତ ବର୍ଷ ଆହୁରି ୨୦ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ମୋଟ୍ ୨୨୦୦ ବିଦ୍ୟାଳୟକୁ ନୂଆ ରୂପ ଦିଆଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୁବ୍ଶୀଘ୍ର ଏଥିରେ ୬୦୦ ବିଦ୍ୟାଳୟ ସାମିଲ୍ ହେବେ। ଚଳିତବର୍ଷ ଏଥିପାଇଁ ୧୦୧୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ସମଗ୍ର ଶିକ୍ଷା ପାଇଁ ୧୧୩୧ କୋଟି , ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ୭୦୯ କୋଟି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୧ କୋଟି ୨୨ ଲକ୍ଷ ୫୫ ହଜାର ଅର୍ଥ ବରାଦ ହୋଇଛି। ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨୨୩ କୋଟି ୯୮ ଲକ୍ଷ ୩୫ ହଜାର ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାଇକେଲ, ପରିଧାନ ଓ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି। ପିଲାଙ୍କୁ ଯେପରି ସ୍କୁଲରେ ଉନ୍ନତମାନର ମଧ୍ୟାହ୍ନ ଭୋଜନ ମିଳିବ ସେଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପିଛା ସରକାର ୧୧ଟଙ୍କା ଦେଉଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୧୪ଟଙ୍କା ୭୪ପଇସା ଦିଆଯାଉଛି।
ଚଳିତ ବଜେଟ୍ରେ ଭିତ୍ତିଭୂମି ଉନ୍ନତି ପାଇଁ ୯୩୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଥିବାବେଳେ ଏଥିରେ ନୂତନ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ଅଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ୫୧କୋଟି ଟଙ୍କା ବରାଦ ହୋଇଛି। ଏହାଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ଆରମ୍ଭରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏହି ବଜେଟ୍ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ଏବଂ ଛାତ୍ରଛାତ୍ରୀଙ୍କ ସମଗ୍ର ଉନ୍ନତିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏବଂ ବିଭାଗୀୟ ଅଧିକାରୀମାନେ ବିଭାଗର ବଜେଟ୍ ସମ୍ପର୍କରେ ସୂଚନା ଦେଇଥିଲେ।