ନୂଆଦିଲ୍ଲୀ, ୧୨/୦୭ : ଇତିହାସ ରଚିଲେ ୨୧ ବର୍ଷୀୟା ଲିଣ୍ଡା ନୋସ୍କୋଭା। ମୁଖୋଭାଙ୍କୁ ହରାଇ ପ୍ରଥମ ଥର ପାଇଁ ସାଜିଲେ ୱିମ୍ବଲଡନ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍ । କାରୋଲିନା ମୁଖୋଭାଙ୍କୁ ମାତ୍ ଦେଇ କ୍ରାଉନ୍ ପିନ୍ଧିଲେ ଲିଣ୍ଡା ନୋସ୍କୋଭା । ଟେନିସ୍ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଟୁର୍ନାମେଣ୍ଟ ‘ୱିମ୍ବଲଡନ ୨୦୨୬’ର ମହିଳା ସିଙ୍ଗଲ୍ସରେ ନୂଆ ଇତିହାସ ସୃଷ୍ଟି ହୋଇଛି । ମାତ୍ର ୨୧ ବର୍ଷ ବୟସ୍କା ଚେକ୍ ଗଣରାଜ୍ୟର ଷ୍ଟାର୍ ଖେଳାଳି ଲିଣ୍ଡା ନୋସ୍କୋଭା ନୂଆ ୱିମ୍ବଲଡନ ଚାମ୍ପିଅନ୍ ହୋଇଛନ୍ତି । ସେଣ୍ଟର କୋର୍ଟରେ ଖେଳାଯାଇଥିବା ରୋମାଞ୍ଚକର ‘ଅଲ୍-ଚେକିଆ’ ଦୁଇଜଣ ଯାକ ଖେଳାଳି ଚେକ୍ ଗଣରାଜ୍ୟର ଫାଇନାଲ୍ ମ୍ୟାଚ୍ ରେ ଲିଣ୍ଡା ନିଜ ଦେଶର ହିଁ ଅଭିଜ୍ଞ ଖେଳାଳି କାରୋଲିନା ମୁଖୋଭାଙ୍କୁ ପରାସ୍ତ କରିଛନ୍ତି । ତିନି ସେଟ୍ ପର୍ଯ୍ୟନ୍ତ ଚାଲିଥିବା କଡ଼ା ମୁକାବିଲାରେ ଲିଣ୍ଡା ନୋସ୍କୋଭା ୬-୨, ୫-୭, ୬-୩ ସେଟରେ କାରୋଲିନା ମୁଖୋଭାଙ୍କୁ ହରାଇ ଟ୍ରଫି ନିଜ ନାମରେ କରିଛନ୍ତି । ଲିଣ୍ଡା ଦମଦାର୍ ଖେଳ ପ୍ରଦର୍ଶନ କରି ପ୍ରଥମ ସେଟ୍ କୁ ଉଦ୍ ବେଗଜନକ ଭାବେ ୬-୨ରେ ସହଜରେ ଜିତି ନେଇଥିଲେ । ଦ୍ୱିତୀୟ ସେଟରେ କାରୋଲିନା ମୁଖୋଭା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ଲିଣ୍ଡାଙ୍କ ୫ଟି ଚାମ୍ପିଅନସିପ୍ ପଏଣ୍ଟକୁ ବଞ୍ଚାଇ ମୁଖୋଭା ଏହି ସେଟ୍ କୁ ୭-୫ରେ ଜିତି ମ୍ୟାଚ୍ କୁ ବରାବର ସ୍ଥିତିକୁ ଆଣିଥିଲେ । ଶେଷ ସେଟରେ ଲିଣ୍ଡା ପୁଣିଥରେ ନିଜ ଲୟ ଫେରିପାଇଥିଲେ ଏବଂ ଧୈର୍ଯ୍ୟର ସହ ଖେଳି ୬-୩ ରେ ଜିତି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ୨୧ ବର୍ଷୀୟା ଲିଣ୍ଡା ନୋସ୍କୋଭାଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ । ନିଜର ପ୍ରଥମ ଫାଇନାଲ୍ ରେ ହିଁ ସେ ଏହି ସଫଳତା ପାଇଛନ୍ତି। ସେ ଗତ ୧୫ ବର୍ଷ ମଧ୍ୟରେ ୱିମ୍ବଲଡନ ଜିତିଥିବା ସବୁଠାରୁ କମ୍ ବୟସ୍କା ମହିଳା ଖେଳାଳି ବନିଛନ୍ତି । ଅନ୍ୟପଟେ କାରୋଲିନା ମୁଖୋଭା ନିଜ କ୍ୟାରିୟରର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଥିଲେ । ଏହା ପୂର୍ବରୁ ସେ ୨୦୨୩ରେ ଫ୍ରେଞ୍ଚ ଓପନ୍ ରେ ମଧ୍ୟ ରନର୍ସଅପ୍ ହୋଇଥିଲେ ଏବଂ ଏଥର ମଧ୍ୟ ତାଙ୍କୁ ରନର୍ସଅପ୍ ଟ୍ରଫିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।