ରାୟଗଡ଼ା ଜିଲ୍ଲାର ୨ ଜେଲ୍‌ରୁ ଚିହ୍ନଟ ହେଲେ ୨୧୮ କରୋନା ପଜିଟିଭ୍‌

ରାୟଗଡ଼ା, ୨୮/୭ : ରାୟଗଡ଼ା ଜିଲ୍ଲାରେ ଥିବା ୨ଟି ଜେଲର ୨୧୮ ଜଣ କରୋନା ପଜଟିଭ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ଜେଲରୁ ୫ ଜଣ କର୍ମଚାରୀ ଓ ୧୫୭ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ଜେଲରେ ୬୧ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ପୂର୍ବରୁ କରୋନା ପଜଟିଭ ଚିହ୍ନଟ ହେବା ପରେ ଉଭୟ ରାୟଗଡ଼ା ଓ ଗୁଣପୁର ଜେଲରେ ସ୍ୱାବ ନମୁନା ସଂଗ୍ରହ ହୋଇଥିଲା। ଗତକାଲି ଗୁଣପୁର ଜେଲରୁ ୯୧ ଜଣ ଅନ୍ତେବାସୀଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିରୁ ୬୧ ଜଣଙ୍କର ନମୁନା ପଜିଟିଭ ରିପୋର୍ଟ ଆସିଛି।

ତେବେ ଏତେ ସଂଖ୍ୟାରେ ଅନ୍ତେବାସୀ ଓ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲା ଜଜ ଚିତ୍ତ ରଞ୍ଜନ ଦାଶ, ଏସ୍‌ପି ଡ଼ା. ଶର୍ବଣା ବିବେକ ଏମ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜଙ୍କ ସହ ଜେଲ୍‌ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ବେହରା କହିଛନ୍ତି, ଜେଲ ଭିତରେ ଆଇସୋଲେସନ ଓ୍ଵାର୍ଡ ଖୋଲାଯାଇଛି ଏବଂ ସମସ୍ତଙ୍କୁ ମେଡିସିନ କିଟ ଦିଆଯାଇଛି। ଆଜି ଚିହ୍ନଟ ସମସ୍ତ କରୋନା ଆକ୍ରାନ୍ତ ଲକ୍ଷଣ ବିହୀନ ବୋଲି ଜଣାଯାଇଛି।