ଶ୍ରୀନଗର,୧୩ /୧: ଶ୍ରୀନଗର ବିମାନ ବନ୍ଦରରେ ଆଜି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବିମାନରେ ଥିବା ୨୩୩ ଜଣ ଯାତ୍ରୀଙ୍କୁ ବିମାନରୁ ଯୁଦ୍ଧକାଳୀନଭିତ୍ତିରେ ଓହ୍ଲାଇ ଦିଆଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ।
ରିପୋର୍ଟ ମୁତାବକ, ଆଜି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୨୫୫୯ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶ୍ରୀନଗର ଏୟାରପୋର୍ଟ ରନୱେରୁ ହଟାଯାଇଥିବା ବରଫକୁ ଗୋଟିଏ କୋଣରେ ଗଦାଇ ଦିଆଯାଇଥିଲା। ବିମାନଟି ଉଡିବାକୁ ଆରମ୍ଭ କରୁଥିବା ବେଳେ କୌଣସି କାରଣ ବଶତଃ ସେଠାରେ ଯାଇ ଧକ୍କା ହୋଇଥିଲା। ଏଥିରେ ବିମାନ ଭିତରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ଆୟତ୍ତ କରି ନେଇଥିଲେ। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ପଦକ୍ଷେପ ନେବା ସହ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ଏହାପରେ ବିମାନକୁ ଯାଞ୍ଚ କରାଯାଇଥିଲା। ବିମାନ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଯାଇ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।