ଓଡ଼ିଶାରୁ ୬ ରାଜ୍ୟକୁ ଗଲା ୨୫୦ ଟନ୍ ଅକ୍ସିଜେନ୍

ଭୁବନେଶ୍ବର,୨୪ /୪ : କୋଭିଡ୍ ଯେତିକି ସଂକ୍ରମିତ ହେଉଛି, ଅକ୍ସିଜେନ୍ ସମସ୍ୟା ସେତିକି ଉତ୍କଟ ହେବାରେ ଲାଗିଛି। ଏହାକୁ ନେଇ ଅଧିକ ସଂକ୍ରମିତ ରାଜ୍ୟରେ ଆତଙ୍କ ଖେଳିଗଲାଣି। ଏଭଳିସ୍ଥଳେ ଓଡ଼ିଶା ସରକାର ଗତକାଲି ଯେଉଁ ସହଯୋଗର ହାତ ବଢ଼ାଇ ଦିଲ୍ଲୀ, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଅକ୍ସିଜେନ୍ ପଠାଇବା ଆରମ୍ଭ କରିଛି। ଆଜି ଉଭୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି।

ସୂଚନା ଅନୁସାରେ, ପାଖାପାଖି ୧୯ଟି ଅକ୍ସିଜେନ୍‌ ବୋେଝଇ ଟ୍ୟାଙ୍କର ଏସବୁ ରାଜ୍ୟକୁ ପଠାଯାଇଛି ଓ ଏହାର ପରିମାଣ ୨୫୦ ଟନ୍ ହେବ ବୋଲି କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏସବୁ ଅକ୍ସିଜେନ୍ ଭର୍ତ୍ତି ଗାଡ଼ି କିଭଳି ବିନା ବାଧାରେ ଯିବ, ସେଥିଲାଗି ସେମାନଙ୍କ ଆଗ ପଛରେ ପାଟ୍ରୋଲିଂ କରି ନିଆଯାଇଛି।

ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହେବା ପରେ ବିହାରକୁ ମଧ୍ୟ ୨ଟି କିସ୍ତିରେ ପାଖାପାଖି ୪୦ଟନ୍ ଅକ୍ସିଜେନ୍ ପଠାଇବାକୁ ବ୍ୟବସ୍ଥା କରାଯ଼ାଉଛି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀକୁ ୪୦ ଟନ୍, ମହାରାଷ୍ଟ୍ରକୁ ୪୦ ଟନ୍, ଆନ୍ଧ୍ରପ୍ରଦେଶକୁ ୪୦ ଟନ୍ ଅକ୍ସିଜେନ୍ ପଠାସରିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ କୋଭିଡ ସ୍ଥିତି ଭଲ ଥିବାରୁ ଦୈନିକ ଅକ୍ସିଜେନ୍ ବଳି ପଡୁଛି। ଏହି ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟକୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଅନୁଗୁଳସ୍ଥିତ ଜେଏସପିଏଲ୍‌, ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ଭୂଷଣ ଲିମିଟେଡ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ , ଜେଏସ୍‌ଏଲ୍ କଳିଙ୍ଗନଗର ଓ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟରୁ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯ଼ାଉଛି।

ଉଲ୍ଲେଖଯୋଗ୍ୟ, ଜେଏସ୍‌ପିଏଲରେ ୫ଶହ ଟନ୍, ଟାଟା ଷ୍ଟିଲ ଭୂଷଣ ଲିମିଟେଡରେ ୫ଶହ ଟନ୍, ଟାଟା ଷ୍ଟିଲ କଳିଙ୍ଗନଗରରେ ୫ଶହ ଟନ୍, ଜେଏସଏଲ୍ କଳିଙ୍ଗନଗରରେ ୨୫୦ଟନ ଅକ୍ସିଜେନ୍ ମହଜୁଦ ରହିଛି। ଏହିସବୁ ପ୍ଳାଣ୍ଟରେ ଅକ୍ସିଜେନ ଉତ୍ପାଦନ ମଧ୍ୟ ଅବ୍ୟାହତ ରହିଛି।