ଭୁବନେଶ୍ୱର, ୧୯/୯ : କଟକ-ଭୁବନେଶ୍ୱରରେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି କମିସନରଟେ ପୁଲିସ। ଦୋକାନଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ଯେ ଗତକାଲି ୨୮୩୩ଜଣ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ୱରର ୪୧ଟି ଦେକାନକୁ ସିଲ୍ କରାଯାଇଥିବା ନେଇ ବି ଡିସିପି ସ୍ପଷ୍ଟ କରିଛନ୍ତି। ଏଥିମଧ୍ୟରେ ଗ୍ରିନ୍ ଚିଲ୍ଲି ନାମକ ଏକ ଫାଷ୍ଟ ଫୁଡ୍ ଆଉଟଲେଟ୍ ବି ଅନ୍ତର୍ଭୁକ୍ତ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଏହି ଯାଞ୍ଚ ବେଳେ ପୁଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୁଲିସ କମିସନର୍ । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯାଉଥିବା ଜଣାଯାଇଛି ।