ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷକଲେ ନବୀନ

ଭୁବନେଶ୍ବର : ରାଜନୈତିକ ସ୍ତରରେ ସରକାର ଅନେକ ସଫଳତା ହାସଲ କରିଛନ୍ତି। ଉଭୟ ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ବିଜୟ ଲାଭ କରିଛି। ବାଲେଶ୍ବରରେ ବିଜେପି ହାତରୁ ଆସନ ଛଡ଼ାଇ ନେଇଛନ୍ତି ଶାସକ ଦଳ। ପିପିଲି ଉପନିର୍ବାଚନ ଅଧାରେ ଅଟକିରହିଛି। ଗୋଟିଏ ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଯେ ରାଜନୈତିକ ଦୃଷ୍ଟି କୋଣରୁ ନବୀନ ସରକାର ପ୍ରତି ଏବେ କୌଣସି ବିପଦ ନାହିଁ।

ଏଭଳି ଏକ ବଡ଼ ସଫଳତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଆଜି ଶେଷ ହୋଇଛି। ହେଲେ ପୁରୀକୁ ବିଶ୍ବସ୍ତରୀୟ ସହରରେ ପରିଣତ ଠାରୁ ଆରମ୍ଭ କରି କଟକ ବଡ଼ ମେଡ଼ିକାଲକୁ ଏମ୍‌ସ ପ୍ଲସ୍ ମାନ୍ୟତା ଦେବା, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ଏଭଳି ଅନେକ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରନାହିଁ। ଏସବୁ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସରକାରଙ୍କ ରାସ୍ତାକୁ ଅବରୋଧ କରିରଖିଛି।

କରୋନା ଭୀଷଣ ଅବସ୍ଥାରେ ଥିବାରୁ ଏଥର ୧୪ ତାରିଖରୁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ତର୍ଜମାକୁ ନିଜେ ମୁଖ୍ୟମନ୍ତ୍ରୀ ସ୍ଥଗିତ ରଖିଛନ୍ତି। ଏହା ସତ୍ତ୍ବେ ଆଜି ଅପରାହ୍ନ ସାଢ଼େ ପାଞ୍ଚଟାରେ ମନ୍ତ୍ରୀ ପରିଷଦ ବୈଠକରେ ତୃତୀୟ ବର୍ଷ ଲାଗି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ବର୍ଷ ମଧ୍ୟରେ ସରକାର ଯାହା ଭଲ କାମ କରିଛନ୍ତି, ତାହାର ବି ନବୀନ ତର୍ଜମା କରିବେ।