କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୭ : ଚଳିତବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି । ବିନାଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତନୀତି ସୁରୁଖୁରୁରେ ଶେଷହୋଇଛି। ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀର ଜନସାଧାରଣଙ୍କୁ ଏବଂ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ରାଜ୍ୟବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି, ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ୱ ଆମ ଉପରେ ନଜର ରଖିଛି। ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା,ନିୟମ ମାନି କରୁଛୁ ତା’ଉପରେ ସାରା ବିଶ୍ୱ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ। ଶୃଙ୍ଖଳାର ସହ କାମକରି ସାରାବିଶ୍ୱ ପାଇଁ ଉଦାହରଣ ସୃଷ୍ଟିକରିଛୁ। ମହାପ୍ରଭୁ ୪ ଦିନ ବଡଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ।

ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ନବୀନ।

ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ୱରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। କୋଭିଡ୍‌ ପାଇଁ ଟିକର ବା ଔଷଧ ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ୱାଭାବିକ ହେବ ନାହିଁ । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ । ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ।