ଭୁବନେଶ୍ବର,୩/୪ : ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବା ଯୋଗୁ ବିଜେପିର ୩ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି । ୩ ବିଜେପି ସଦସ୍ୟ ହେଲେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନ ପାଇଁ ବିଧାନସଭାରୁ ୩ ବିଜେପି ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଛି ।
ସେପଟେ ୩ ବିଧାୟକଙ୍କୁ ବାଚସ୍ପତି ସସ୍ପେଣ୍ଡ କରିବା ପ୍ରତିବାଦରେ ଗୃହରେ କକ୍ଷ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଏହା ସହିତ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ।
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।