ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ ଖୋଲିଲା, ୧୫ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ, ୧୭/୮ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୪୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୨୭ ହଜାର ୬୨୪ କ୍ୱିସେକ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୯୪ ହଜାର ୧୪୫ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଏବେ ଡ୍ୟାମର ୧୫ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପରିସ୍ଥିତିକୁ ଦେଖି ଆଉ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

୧୫ ଟି ଗେଟ ଖୋଲିବା ପରେ ଖଇରମାଲରେ ୪ ଲକ୍ଷ ୬୦ ହଜାର, ବରମୂଳ ଠାରେ ୪ ଲକ୍ଷ ୬୦ ହଜାର, ଓ ମୁଣ୍ଡଳୀ ନିକଟରେ ୨ ଲକ୍ଷ ୫୭ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।