ବୌଦ୍ଧ : ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ପରେ ମୋ ସରକାର ଯୋଜନାରେ ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ରୋଗୀମାନଙ୍କ ଆଟେଣ୍ଡାଣ୍ଟ୍ ପାଇଁ ୩୦୦ ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ନିର୍ମାଣ ପାଇଁ ସରକାର ଘୋଷଣା କରିଥିବାବେଳେ ଏଥିପାଇଁ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଆୟୋଜିତ ଏକ ଗୁରୁତ୍ୱପୁର୍ଣ୍ଣ ସମୀକ୍ଷା ବୈଠକରେ ବୌଦ୍ଧ ସହର ମଧ୍ୟରେ ରାଜାଙ୍କ ଦ୍ୱାରା ନିର୍ମିତ ଉପକାରାଗାରକୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେହି ସ୍ଥାନରେ ଏହି ନୂତନ ଚିକିତ୍ସାଳୟ ନିର୍ମାଣ କରାଯିବାକୁ ଆର୍କିଟେକଚରଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ ହୋଇସାରିଥିବା ସୂଚନା ଦିଆଯାଇଛି। ପ୍ରସ୍ତୁତ ଡିଜାଇନକୁ ଜିଲା ସ୍କ୍ରୁଟନି କମିଟି ଦ୍ୱାରା ପୁନଃ ନିରୀକ୍ଷଣ କରାଯିବ। ଏହାପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ଡିପିଆର ପ୍ରସ୍ତୁତି ହେବ ଓ ତାହା ସରକାରଙ୍କ ନିକଟକୁ ପ୍ରଶାସନିକ ଅନୁମମୋଦନ ପାଇଁ ପଠାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନୂତନ ଚିକିତ୍ସାଳୟ କୋଠା ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଗଲେ ନିର୍ଦ୍ଧାରିତ ସମୟରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇପାରିବ ବୋଲି ବୈଠକରେ ଉପସ୍ଥିତ ଥିବା ବୌଦ୍ଧ ଫୁଲବାଣୀ ସର୍କଲର ସୁପରିଟେଣ୍ଡିଂ ଇଂଜିନିୟର ମନୋଜ କୁମାର ତିପ୍ରାଠୀ ପ୍ରକାଶ କରିଥିଲେ।