ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର : କେନ୍ଦ୍ର କ୍ୟାବିନେଟର ୩ ହଜାର କୋଟି ମଂଜୁର

ନୂଆଦିଲ୍ଲୀ,୩୦ /୧୨ : ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ୩ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି । ସୂଚନା ଅନୁସାରେ ପାରାଦୀପ ବନ୍ଦରକୁ ଆହୁରି ଗଭୀର କରିବାକୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବିଶେଷକରି ସରକାରୀ-ଘରୋଇ ଭାଗିଦାରିତାରେ ଓ୍ବେଷ୍ଟର୍ଣ୍ଣ ଡକ ବେସିନର ନିର୍ମାଣ କରାଯିବ । ଏହି ପ୍ରକଳ୍ପରେ ପ୍ରାୟ ୨୦୪୦ କୋଟି ଟଙ୍କା ବ୍ୟୟ ହେବ । ଏହାର କ୍ଷମତା ବାର୍ଷିକ ୨୫ ନିୟୁତ ଟନ ରହିବ । ଏହି କ୍ଷମତା ୨ଟି ପର୍ଯ୍ୟାୟରେ ହାସଲ କରାଯିବ । ବଟ୍ (ବିଲ୍ଟ-ଅପରେଟ-ଟ୍ରାନ୍ସଫର) ଭିତ୍ତିରେ ଏହି ପ୍ରକଳ୍ପର ଠିକା ଘରୋଇ କମ୍ପାନିମାନଙ୍କୁ ଦିଆଯିବ । ଅର୍ଥାତ ଯେଉଁ କମ୍ପାନି ପ୍ରକଳ୍ପ କାର୍ଯ୍ୟକାରୀ କରିବ ସେ ତାହାକୁ ୩୦ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ ଓ ତାପରେ ପାରାଦୀପ ବନ୍ଦରକୁ ହସ୍ତାନ୍ତର କରିବ ।

ସେହିପରି ୩୫୨ କୋଟି ବ୍ୟୟରେ ବନ୍ଦରର ଅନ୍ୟ ଭାଗକୁ ଆହୁରି ଗଭୀର କରାଯିବ । ଯଦ୍ବାରା ଏହି ବନ୍ଦରରେ କେପ ସାଇଜ ଜାହାଜ ( ବୃହତ ଜାହାଜ) ବନ୍ଦର ମଧ୍ୟକୁ ପ୍ରବେଶ କରିପାରିବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ କହିଛନ୍ତି । ଏହି ବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେଲେ କୋଇଲା, ଚୂନପଥର, ଲୁହାପଥର ଆମଦାନୀ-ରପ୍ତାନି କରୁଥିବା ବୃହତ ଜାହାଜମାନଙ୍କ ପାଇଁ ପାରାଦୀପ ବନ୍ଦର ବେଶ ସୁବିଧାଜନକ ହେବ ।