କିନ୍ନର ହତ୍ୟା ମାମଲା : ଆଉ ଜଣେ ଗିରଫ

ଭୁବନେଶ୍ୱର, ୨୩/୦୨ : ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପିପିଲି ପୁଲିସ। ଅଭିଯୁକ୍ତ ଛବିନ କାଣ୍ଡିକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ବହୁ ଚର୍ଚ୍ଚିତ ପିପିଲି କିନ୍ନର ହତ୍ୟାକାଣ୍ଡ ଘଟଣାରେ ତୃତୀୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଛବିନ କାଣ୍ଡି ଓରଫ ମୁନା(୩୫)କୁ ଗିରଫ କରିଛି ପିପିଲି ଥାନା ପୁଲିସ। ମୁନାକୁ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଙ୍ଗର ଗ୍ରାମରୁ ଗିରଫ କରାଯାଇଛି। ଗତ ଫେବୃଆରୀ ୧୧ରେ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ପୁଲିସ ଏନ୍‍କାଣ୍ଟର କରିଥିଲା। ସାଲେପୁର ଅଞ୍ଚଳର ଦିନେଶ ଓରଫ ସୋନାକୁ ଗତ ୧ ତାରିଖ ରବିବାର ସଂନ୍ଧ୍ୟା ୮ଟାରୁ ସାଢେ ୮ଟା ମଧ୍ୟରେ ପିପିଲି ଥାନା ଅନ୍ତର୍ଗତ ସିଫା ନିକଟରେ କେହି ଦୁର୍ବୁତ୍ତ ବିଭତ୍ସ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ। ଜାତୀୟ ରାଜପଥ ପାଶ୍ୱର୍ରେ ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ସହାୟତାରେ ପିପିଲି ପୁଲିସ ଘଟଣାସ୍ଥଳରେ ତନାଘନା ତଦନ୍ତ ଚଳାଇବା ସହ ରକ୍ତଭିଜା ମାଟି, ନକଲି ଚୁଳ, ଚପଲ, ଅନ୍ତବସ୍ତ୍ର ଓ ଅନ୍ୟ କେତେକ ଜିନିଷକୁ ଜବତ କରିଥିଲା। ଘଟଣାରେ ପୂର୍ବରୁ ଜଡିତ କ୍ରିଷ୍ଣା ଓ ସନିଲ ଗିରଫ ହୋଇଥିବା ବେଳେ ଆଜି ମୁନାକୁ ଗିରଫ କରାଯାଇଛି।