ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

ନୂଆଦିଲ୍ଲୀ, ୧୪/୧୨ : ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା। ଫଳରେ ନିଶ୍ଚିତ ହୋଇଛି ଯେ ବାକି ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ରବିବାର ଏଠାରେ ତୃତୀୟ ଟ୍ବେଣ୍ଟି୨୦ ଖେଳାଯିବ। ହିମାଳୟ ପାଦଦେଶରେ ଥିବା ଧର୍ମଶାଳାରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟାରେ ତାପମାତ୍ରା ୭ରୁ ୮ ଡିଗ୍ରୀ ରହିବ। କାକରର ପ୍ରଭାବ ମଧ୍ୟ ରହିବ। ତେବେ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାରେ ଆଗୁଆ ହେବାକୁ ଚାହିଁବେ। କଟକ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଇନିଂସ ଉଭୟ ଦଳଙ୍କ ମଧ୍ୟରେ ଫରକ ଥିଲା। ନ୍ୟୁ ଚଣ୍ଡିଗଡ଼ରେ କ୍ବିଣ୍ଟନ ଡି କକ୍‌ ଅନୁରୂପ ଇନିଂସ ଖେଳି ଦଳକୁ ଜିତାଇଥିଲେ। ଧର୍ମଶାଳାରେ ଉଭୟ ଦଳ ଶୃଙ୍ଖଳାରେ ଆଗୁଆ ହେବା ଆଶାରେ ଓହ୍ଲାଇେବ। ପୁଣି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଉପଅଧିନାୟକ ଶୁଭମନ ଗିଲ୍‌ଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତୀୟ ଦଳ ଚିନ୍ତାରେ। ପ୍ରଥମ ୨ଟି ମ୍ୟାଚ୍‌ରେ ସୂର୍ଯ୍ୟ ୧୨ ଓ ୫ ରନ୍‌ କରିଛନ୍ତି। ୨୦୨୫ରେ ୧୭ଟି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ମାରିନାହାନ୍ତି। ଶୁଭମନ ଗିଲ୍‌ ଗତ ୨ଟି ମ୍ୟାଚ୍‌ରେ ପ୍ରଥମ ଓଭରରେ ଆଉଟ୍‌ ହୋଇଛନ୍ତି। ୨୦୨୫ରେ ଗିଲ୍‌ ମଧ୍ୟ ଅର୍ଦ୍ଧଶତକ ମାରିନାହାନ୍ତି। ତେବେ ଗିଲ୍‌ଙ୍କୁ ଆଉ ଏକ ସୁଯୋଗ ମିଳିବ। ଏଥର ବିଫଳ ହେଲେ ଆଗକୁ ସଞ୍ଜୁ ସାମ୍‌ସନଙ୍କୁ ଖେଳାଇବା କଥା ଭାରତ ବିଚାର କରିପାରେ। ନ୍ୟୁ ଚଣ୍ଡିଗଡ଼ରେ ଚଳିତବର୍ଷ ୧୭ଟି ମ୍ୟାଚ୍‌ରୁ ମାତ୍ର ୩ ପରାଜୟ ବରଣ କରିଥିଲା।

ଚଳିତ ଗସ୍ତରେ ଦକ୍ଷିଣ ଆଫ୍ରିକା ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛିବା ପରେ ଦିନିକିଆ ଶୃଙ୍ଖଳାରେ ଗୋଟିଏ ମ୍ୟାଚ୍‌ ଜିତିଥିଲା। ଟ୍ବେଣ୍ଟି୨୦ରେ ବି ଏହା ଗୋଟିଏ ମ୍ୟାଚ୍‌ ଜିତିଛି। ସବୁଠାରୁ ବଡ଼ କଥା ହେଲା ଭାରତକୁ ଚାପରେ ପକାଇବାରେ ଦକ୍ଷିଣ ଆଫ୍ରିକା ସଫଳ ହୋଇଛି। ଭାରତକୁ ଟି୨୦ ଶୃଙ୍ଖଳାରେ ପରାସ୍ତ କରିବାର ସମସ୍ତ ଗୁଣ ଐଡେନ୍ ମାର୍କରାମଙ୍କ ଦଳର ରହିଛି। ପୁଣି କ୍ବିଣ୍ଟନ ଡି କକ୍‌ଙ୍କ ଉପରେ ଭାରତର ନଜର ରହିବ। ସେ ଏପରି ବ୍ୟାଟ୍‌ସମ୍ୟାନ; ଯିଏ ଏକା ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଇପାରନ୍ତି। ପୁଣି ମଧ୍ୟକ୍ରମରେ ଅଧିନାୟକ ଐଡେନ୍ ମାର୍କରାମ, ଡିୱାଲ୍‌ଡ ବ୍ରେଭିସ୍‌, ଡୋନୋଭାନ୍ ଫରେରା ଓ ଡେଭିଡ୍‌ ମିଲର ଆକ୍ରମଣାତ୍ମକ ବ୍ୟାଟିଂ କରିପାରନ୍ତି। ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ଯେଉଁ ଦୋଷ ଦୁର୍ବଳତା ଦେଖାଇଥିଲା; ସେଥିରେ ସୁଧାର ଆଣିବାର ପ୍ରୟାସ ଭାରତ କରିବ। ଶେଷଆଡ଼କୁ ଭାରତୀୟ ବୋଲରଙ୍କ ବିପକ୍ଷ‌େ​‌ର ଦକ୍ଷିଣ ଆଫ୍ରିକା ଯେପରି ଦ୍ରୁତଗତିରେ ସ୍କୋର୍‌ କରିଥିଲା; ତାହାକୁ ରୋକିବା ଭାରତ ପାଇଁ ବଡ଼ ଆହ୍ବାନ।

ପରାଜୟ ସତ୍ତ୍ବେ ଧର୍ମଶାଳା ମ୍ୟାଚ୍‌ରେ ଭାରତ ଅପରିବର୍ତ୍ତିତ ଏକାଦଶ ଖେଳାଇପାରେ। ଦକ୍ଷିଣ ଆଫ୍ରିକା ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ଲୁଙ୍ଗି ଏନ୍‌ଗିଡିଙ୍କ ସ୍ଥାନରେ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର କର୍ବିନ୍ ବସ୍‌ଙ୍କୁ ଖେଳାଇପାରେ। ପୁଣି ପେସ୍‌ ବୋଲର ଲୁଥୋ ସିପାମ୍‌ଲାଙ୍କ ସ୍ଥାନରେ ଆନ୍‌ରିଚ ନୋର୍ଖିୟା ଖେଳିପାରନ୍ତି। ପୁଣି ବାମହାତି ସ୍ପିନର ଭାବେ ଜର୍ଜ ଲିଣ୍ଡେଙ୍କ ସ୍ଥାନରେ ଅଭିଜ୍ଞ କେଶବ ମହାରାଜ ଏକାଦଶକୁ ଫେରିପାରନ୍ତି। ଅତ୍ୟନ୍ତ ଥଣ୍ଡା ପାଗ ଯୋଗୁଁ ପେସ୍‌ ବୋଲର ସହାୟତା ପାଇପାରନ୍ତି। ଧର୍ମଶାଳାରେ ରନ୍‌ର ପିଛାକରି ଜିତିବା ସହଜ ପ୍ରମାଣିତ ହୋଇଛି। ଏଠାରେ ୫ଟି ଟ୍ବେଣ୍ଟି୨୦ରୁ ୪ଟି ମ୍ୟାଚ୍‌ରେ ରନ୍‌ର ପିଛା କରିଥିବା ଦଳ ବିଜୟୀ ହୋଇଛି। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ କରିପାରନ୍ତି।