ଇରାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ଏହାର ତୀବ୍ରତା ୪.୧

ନୂଆଦିଲ୍ଲୀ, ୦୭/୦୩ : ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇରାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୮ଟା ୪୮ ମିନିଟରେ ଇରାନର ବନ୍ଦର ଆବାସ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଫଳରେ ଭୟରେ ଲୋକେ ଘର ବାହାରକୁ ଦୌଡି ଆସିଥିଲେ । ସ୍ଥାନୀୟ ପ୍ରଶାସନ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଆରମ୍ଭ କରିଛନ୍ତି । କର୍ତ୍ତୁପକ୍ଷ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଏହି ଭୂକମ୍ପରେ କୌଣସି ମୃତାହତ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ଘଟିନଥିବା ଜଣାପଡିଛି । ମାର୍ଚ୍ଚ ୩ ତାରିଖରେ ଇରାନର ଗେରାଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ଅନ୍ୟପଟେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି ।