ଭୁବନେଶ୍ୱର, ୧୪/୦୮: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବନ୍ଧାହେଲେ ୪ ସରକାରୀ ବାବୁ । ଲାଞ୍ଚ ନେବା ମାମଲାରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଚଢାଉ ବେଳେ ପାରଳାଖେମୁଣ୍ଡିର ସିଡିଏମ୍ଓ କାର୍ଯ୍ୟାଳୟର ୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ରାୟଗଡ଼ା ମୁନିଗୁଡ଼ା ସିଏଚସିର ଜଣେ ସ୍ୱାସ୍ଥ୍ୟ କର୍ମୀ ଏବଂ କେନ୍ଦ୍ରାପଡ଼ାର ମହାକାଳପଡ଼ାର ବିଇଓ କାର୍ଯ୍ୟାଳୟର ଜଣେ ଜୁନିଅର କ୍ଲର୍କଙ୍କୁ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ । ସେମାନଙ୍କୁ ଗୁରୁବାର ଓଡ଼ିଶା ଭିଜିଲାନ୍ସ ଟିମ୍ ଦ୍ୱାରା ଲାଞ୍ଚ ନେବା ମାମଲାରେ ଗିରଫ କରାଯାଇଛି ଏବଂ ଭିଜିଲାନ୍ସ କୋର୍ଟକୁ ପଠାଯାଇଛି। ପାରଳାଖେମୁଣ୍ଡିର ସିଡିଏମଓ ଅଫିସର ପିଅନ ନିରଞ୍ଜନ ନାୟକଙ୍କ ସହ କିରାଣୀ ଜଗଦୀଶ ପଟ୍ଟନାୟକ ମଧ୍ୟ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ର ଖୋଳତାଡ଼ ବେଳେ ଜଗଦୀଶଙ୍କ ଟେବୁଲ ଡ୍ରୟରରୁ ୫,୧୯,୭୦୦ ଟଙ୍କା ଏବଂ ପାରଳାଖେମୁଣ୍ଡିରେ ଥିବା ତାଙ୍କ ସରକାରୀ କ୍ୱାର୍ଟରରୁ ୧.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ମୋଟ ୬,୬୯,୭୦୦ଟଙ୍କା ଜବତ ହୋଇଥିଲା । ଏହି ନଗଦ ଟଙ୍କା ବେଆଇନ ଲାଞ୍ଚ ଟଙ୍କା ହୋଇଥିବା ଭିଜିଲାନ୍ସ ଟିମ୍ ଅନୁମାନ କରୁଛି । ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଲା ତାହା ଜାଣିବା ପାଇଁ କିରାଣୀଙ୍କୁ ପଚରାଉଚରା କରାଯାଉଛି।
