ନେପାଳରେ ବିମାନ ଦୁର୍ଘଟଣାରେ ୪ ଓଡ଼ିଆ, ମିଳିଲା ପରିଚୟ

ନୂଆଦିଲ୍ଲୀ: ନେପାଳରେ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ବିମାନ ଦୁର୍ଘଟଣାରେ ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଆ ଗୋଟିଏ ପରିବାରର ସୂଚନା ମିଳିଛି । ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ, ବୈଭବୀ ତ୍ରିପାଠୀ ନେପାଳ ବୁଲି ଯାଇଥିବା ବେଳେ ପ୍ଲେନ୍ କ୍ରାସ୍ ହୋଇଥିଲା । ଦୁର୍ଘଟଣାସ୍ଥଳ ଯାଞ୍ଚ କରୁଛି ନେପାଳ ସେନା ହେଲିକପ୍ଟର ।

ତେବେ ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ନେପାଳର ପୋଖରାରୁ ଜୋମସୋମ୍ ଅଭିମୁଖେ ଯାଉଥିଲା । ବିମାନରେ ୪ ଜଣ ଭାରତୀୟ, ଦୁଇଜଣ ଜର୍ମାନ ଓ ୧୬ ଜଣ ନେପାଳୀ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ନିଖୋଜ ଥିବା ୪ ଜଣ ଭାରତୀୟ ଯାତ୍ରୀ ହେଉଛନ୍ତି ଓଡ଼ିଶାର । ସେମାନଙ୍କ ନାମ ହେଉଛି ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତ ପରିବାର ସଦସ୍ୟ ନେପାଳ ବୁଲିବାକୁ ଯାଇଥିଲେ । ଭୁବନେଶ୍ୱରର ଜୟଦେବ ବିହାରରେ ରହୁଥିବା ଅଶୋକ ତ୍ରିପାଠୀ ତାଙ୍କ ପରିବାରକୁ ନେଇ ନେପାଳ ବୁଲିବାକୁ ଯାଇଥିଲେ ।

ତେବେ ନେପାଳ କୋୱାଙ୍ଗରୁ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ସମସ୍ତ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ନେପାଳର ସ୍ଥଳସେନା ଓ ବାୟୁସେନା ତଲାସି ଅଭିଯାନ ଚଳାଇଛନ୍ତି । ବିମାନଟି ଆଜି ସକାଳ ୯ଟା ୫୫ ମିନିଟରେ ଯାତ୍ରା ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାରରୁ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା । ଫଳରେ ଉକ୍ତ ବିମାନର ସନ୍ଧାନ ପାଇଁ ଅନ୍ୟ ଏକ ବିମାନକୁ ପଠାଯାଇଥିଲା । ମାତ୍ର ନିଖୋଜ ବିମାନ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା ।