୪ ସନ୍ଦିଗ୍ଧଙ୍କୁ କାବୁ କଲେ ଗ୍ରାମବାସୀ, କାର୍‌ ଜବତ

ଭୁବନେଶ୍ୱର, ୦୭/୧୧ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମରେ ଚୋର ସନ୍ଦେହରେ ୪ ସନ୍ଦିଗ୍ଧଙ୍କୁ କାବୁକଲେ ଗ୍ରାମବାସୀ । ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ଏକ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍ ଯୋଗେ କିଛି ବ୍ୟକ୍ତି ସନ୍ଦେହ ଜନକ ଭାବେ ଚନ୍ଦନପୁର ଗ୍ରାମ ନିକଟରେ ବୁଲାବୁଲି କରିଥିଲେ । ଗାଁରେ ବୁଲିବା ବେଳେ କିଛି ଗ୍ରାମବାସୀଙ୍କ ନଜରକୁ ଆସିଥିଲେ। ଗ୍ରାମର କିଛି ସାହସୀ ଯୁବକ ମିଳିତ ଭାବେ ସେମାନଙ୍କ ଉପରେ ଚଢ଼ାଉ କରି ଦେଇଥିଲେ। ପରେ ଖବର ପାଇ ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ। ୫ ରୁ ଉର୍ଦ୍ଧ୍ୱ ସନ୍ଦିଗ୍ଧ ଯୁବକ ଉକ୍ତ ଗାଡ଼ିରେ ଥିବା ବେଳେ ଘଟଣା ସ୍ଥଳରୁ ୩ ଜଣକୁ ଧରିଥିଲେ ଗ୍ରାମବାସୀ । ଖବର ପାଇ ବାଙ୍ଗିରିପୋଷି ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପରେ ଫେରାର ଥିବା ଅନ୍ୟମାନଙ୍କୁ ଖୋଜା ଖୋଜି କରିବାରୁ ଆଉ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ମୋଟ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ଏକ କାର୍‌ ଜବତ କରିଛି ପୁଲିସ।