ମୁମ୍ବାଇ: ବୁଧବାର ରାତି ୧୧.୧୦ରେ ମୁମ୍ବାଇର ପଶ୍ଚିମ ମାଲାଡ଼ ଅନ୍ତର୍ଗତ ମାଲବଣୀ ଅଞ୍ଚଳରେ ଗୋଟାଏ ୪ ତାଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଆହତ ହୋଇଥିବା ଅନ୍ୟ ସାତଜଣଙ୍କୁ ‘ବିଡିବିଏ ମୁନିସ୍ପାଲ୍ ଜେନେରାଲ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ିବା ସମୟରେ କେତେକ ପିଲାଙ୍କ ସମେତ ଅନେକ ଲୋକ ସେ କୋଠାରେ ଥିଲେ। ଖବର ପାଇ ଅବିଳମ୍ବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ଓ ଜନତାଙ୍କ ସହାୟତାରେ କୋଠାଘରର ଭଙ୍ଗାରୁଜା ଗଦା ତଳେ ଚାପି ହୋଇ ରହିଥିବା ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ଏବେ ମଧ୍ୟ ଭୁଶୁଡ଼ା କୋଠାର ଭଗ୍ନାଂଶ ପରିଷ୍କାର କରାଯାଉଛି।
‘ବୃହନ୍ମୁମ୍ବାଇ ମୁନିସ୍ପାଲ୍ କର୍ପୋରେସନ୍’ କହିଛି, ପାଖରେ ଥିବା ଅନ୍ୟ ତିନିଟି ବିପଦଶଙ୍କୁଳ କୋଠାରେ ବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ଅସ୍ଲାମ୍ ଖାଁଙ୍କ କହିବା ଅନୁସାରେ, ସହରରେ ପ୍ରବଳ ବୃଷ୍ଟିପାତ ଯୋଗୁଁ କୋଠାଟି ଭୁଶୁଡ଼ି ପଡ଼ିଲା। ବୁଧବାର ଦିନ ତମାମ ମୁମ୍ବାଇରେ ଅତି ପ୍ରବଳ ବର୍ଷା ଢାଳିଥିଲା। ଏଥିଯୋଗୁଁ ସହରର ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବାରୁ ସଡ଼କ ଓ ରେଳପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଆଗାମୀ ୪ ଦିନ ସକାଶ ମୁମ୍ବାଇ ସମେତ କେତେକ ଜିଲ୍ଲା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ‘ଅରେଞ୍ଜ୍ ଆଲର୍ଟ’ ଜାରି କରିଛି।