ଦୁଇ ଦିନିଆ ଦୀପାବଳି, ରାଜଧାନୀରେ ଜାଳିଲେ ୪୦ କୋଟିର ବାଣ

 

ଭୁବନେଶ୍ୱର, ୨୨/୧୦ : ଏଥର ଦୀପାବଳିରେ ଛାଇଗଲା ସବୁଜ ବାଣ। ୨ ଦିନିଆ ଦୀପାବଳି ବି ଲୋକଙ୍କୁ ସୁହାଇଲା । ପୁଲିସର ସମୟ କଟକଣାକୁ କେହି ଖାତିର୍‌ କଲେନି । ରାତି ଅଧ ଯାଏଁ ଢ଼ୋ ଢ଼ା ଚାଲିଲା । ଆକାଶ ଦୀପ, ସ୍କାଏ ସଟ୍‌, ଡ୍ରୋନ୍‌ ମାଡ଼ରେ ଝଲସିଲା ଆକାଶ । ସନ୍ଧ୍ୟାରୁ ସକାଳ ଯାଏଁ ଧୂଆଁମୟ ହୋଇଯାଇଥିଲା ଚତୁର୍ଦିଗ । ବାଣଫୁଟାରେ ଓଡ଼ିଶାବାସୀ ପାଖାପାଖି ୩୧୦ କୋଟି ଟଙ୍କା ସ୍ୱାହା କରିଦେଲେ । ବିଗତବର୍ଷ ଭଳି ଏବର୍ଷ ମଧ୍ୟ ଖୁଚୁରା ଦୋକାନୀଙ୍କୁ ବାଣ ବିକିବାକୁ ୩/୪ ଦିନ ମିଳିଥିଲା । ୨ ଦିନିଆ ଦୀପାବଳି ସତ୍ତ୍ଵେ ଖୁଚୁରା ଦୋକାନରେ କିଛି ମାତ୍ରାରେ ବାଣ ବଳିଲା। କିନ୍ତୁ ହୋଲସେଲ ସେଣ୍ଟରରେ ଲୋକଙ୍କ ଭିଡ଼ ଜମିଥିଲା । ପୁରୁଣା ଷ୍ଟକ୍‌ କଥା ଛାଡ଼ନ୍ତୁ, କିଛି ଗୋଦାମରେ ଦୀପାବଳି ସପ୍ତାହେ ପୂର୍ବରୁ ବାଣ ସରିଯାଇଥିଲା । ସବୁଥର ଦୀପାବଳିର ବାଣ ବେପାର ୧୦୦ରୁ ୧୫୦ କୋଟିରେ ସୀମିତ ରୁହେ । କିନ୍ତୁ ଏଥର ବାଣ ବେପାର ଆଶାତୀତ ଭାବେ ବଢ଼ିଛି । ପାଖାପାଖି ୧୮୦ କୋଟି ଛୁଇଁଥିବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୭୦ ପ୍ରତିଶତ ହେଉଛି ସବୁଜ ବାଣ । ଚଳିତଥର ଦୀପାବଳିର ୧୫ ଦିନ ପୂର୍ବରୁ ଖୁଚୁରା ଦୋକାନୀଙ୍କ ଅହରହ ଗହଳି ଲାଗିଲା । ସପ୍ତାହେ ପୂର୍ବରୁ ଗୋଦାମରୁ ବାଣ ସରି ଯାଇଥିଲା । ସେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ବାଣ ବେପାର କରିଛନ୍ତି । ଦ୍ୱୈତନଗରୀ ଓ ଏହାର ଉପକଣ୍ଠରେ ୪୦ରୁ ଅଧିକ ହୋଲସେଲ୍‌ ବାଣ ଦୋକାନ ଖୋଲିଥିଲା । ରାଜଧାନୀ ଉପକଣ୍ଠ ଜଟଣୀ ହେଉଛି ବାଣ ବଜାରର ଅନ୍ୟତମ ହବ୍‌ । ସେଠାରେ ଚଳିତଥର ୭ରୁ ଅଧିକ ହୋଲସେଲ୍‌ ଦୋକାନ ଖୋଲିଥିଲା । ଚଳିତଥର ଜଟଣୀ ମାର୍କେଟରେ ୨୫ରୁ ଅଧିକ କୋଟି ଟଙ୍କା ବାଣ ବେପାର ହୋଇଛି । ଏହାଛଡ଼ା ଅନ୍ୟ ଛୋଟମୋଟ ହୋଲସେଲ ଦୋକାନରେ ମଧ୍ୟ ବାଣ ବେପାର ଜମିଥିଲା ।

ରାଜଧାନୀ ଉପକଣ୍ଠ ବାଲିପାଟଣା, ଅଠାନ୍ତର ଓ ନହରକଣ୍ଟାର କିଛି ଜାଗାରେ ହୋଲସେଲ ଦୋକାନ ଖୋଲିଥିଲା । ସେଠାରୁ ଖୁଚୁରା ବେପାରୀ ବାଣ କିଣି ସହରରେ ୩୦ଟି ଖୋଲା ପଡ଼ିଆରେ ବିକିଥିଲେ । ପ୍ରାୟ ସବୁ ଦୋକାନରେ ବାଣ ସରିଯାଇଛି । ରାଜଧାନୀବାସୀ ବାଣ ପାଇଁ ପ୍ରାୟ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ବାଙ୍କୀର ଗୟଳବାଙ୍କରେ ଏଥର ୧୫ରୁ ଅଧିକ ହୋଲସେଲ ଦୋକାନ ଖୋଲିଥିଲା । ଏଥର ବାଣ ବେପାର ପ୍ରାୟ ୧୦ କୋଟି ଟପିଥିଲା । ସେହିପରି ଚାଉଳିଆଗଞ୍ଜ, ଦେବୀଗଡ଼ା, କିଲ୍ଲା ପଡି଼ଆ ଭଳି ୭-୮ଟି ଅନୁମତିପ୍ରାପ୍ତ ଜାଗାରେ ବାଣ ବିକାଯାଉଥିଲା । କଟକ ଉପକଣ୍ଠ ତିଗିରିଆ, ଜଗତପୁରର ପଦ୍ମପୁର ଦେଶୀ ତଥା ହାତ ତିଆରି ବାଣ ପାଇଁ ଜଣାଶୁଣା । କିନ୍ତୁ ଏଥର ପୁଲିସର ବ୍ୟାପକ ଚଢ଼ାଉ ପାଇଁ ସେତେଟା ବେପାର ହୋଇନାହିଁ । ଦ୍ୱୈତନଗରୀ ବାଦ୍‌ ବ୍ରହ୍ମପୁରର ଡେଙ୍ଗାପଦର, ଲାଠି, ଅନ୍ଦପସରା ରୋଡ୍‌ ସମେତ ଯାଜପୁରର କୁଆଖିଆ, ସେରଗଡ଼, ବାଲେଶ୍ୱର, ରାଉରକେଲା, ବାରିପଦା ଓ ବରଗଡ଼ରେ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ହୋଲସେଲ ବାଣ ବେପାର ବଢ଼ିଥିଲା । ଭୁବନେଶ୍ୱର ଓ କଟକକୁ ବାଦ୍‌ ଦେଲେ, ବାକି ଅନ୍ୟ ସହରରେ ଖୋଲାଖୋଲି ଦେଶୀ ବାଣ ବେପାର ବିକାଯାଇଥିଲା । ଦୋକାନୀଙ୍କୁ ପୁଲିସର ଆଦୌ ଭୟ ନଥିଲା । ଲୋକେ ପୁଳା ପୁଳା ମାତ୍ରାରେ ମାଟି ଘଡ଼ି, ଧପଧପି, ଶୂନ୍ୟଫୁଟୁକି, ତାଳ ଫୋଟକା, ଚକୋଲେଟ ବମ୍‌, ଗଡ଼ମା ଓ ହାବେଳି ବୋହିନେଇଥିଲେ ।

SBI_Festive_Digital Billboard