ସମ୍ପ୍ରସାରଣ କ୍ଷେତ୍ରରେ ନାଲକୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ : ପ୍ରହ୍ଲାଦ ଜୋଶୀ

ଭୁବନେଶ୍ୱର,୭ /୧ : ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସମ୍ପ୍ରସାରଣ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ।

ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଳକ ଓ ଉତ୍କଳ ଡି ଏବଂ ଇ କୋଇଲା ଖଣିରୁକୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ। ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଏହି ସମ୍ପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏଥିରେ ୧୪୦୦ ମେଗାୱାଟ ଶକ୍ତି ସଂପନ୍ନ କ୍ୟାପ୍‍ଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ।

ମନ୍ତ୍ରୀ ଶ୍ରୀ ଜୋଶୀ କହିଛନ୍ତି ଯେ ନାଲକୋ ଭବିଷ୍ୟତ ପାଇଁ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି। ଉତ୍ପାଦନ ବୃଦ୍ଧି କରିବା ସହ ଉତ୍ତମମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲକୋ ଏ କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆଲୁମିନିୟମର ଉତ୍ପାଦନ ବୃଦ୍ଧି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ବ୍ୟବହାରକୁ ବଢାଇବା ପାଇଁ ମଧ୍ୟ କଂପାନୀ ପ୍ରଯତ୍ନଶୀଳ। କେନ୍ଦ୍ର ସରକାର ଖଣିଜ ସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି।ଏହାଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।