ରାଜ୍ୟରେ ୫ ଦିନ ପ୍ରବଳ ବର୍ଷା: ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ବାୟୁ ପ୍ରବେଶ ପରେ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଛି । ଏହି କ୍ରମରେ ପୁଣି ଥରେ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ମୋଟ ୧୫ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୫ ଦିନ ପାଇଁ ଏହି ସତର୍କ ସୂଚନା ଜାରି ହୋଇଛି ।

ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ମୋଟ ୧୫ଟି ଜିଲ୍ଲା ପାଇଁ ଜାରି କରିଛି ୟେଲୋ ୱାର୍ଣ୍ଣିଂ । ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ମୟୁରଭଞ୍ଜ, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ରାଜ୍ୟର ସମୁଦାୟ ୨୨ଟି ଜିଲ୍ଲାରେ ଘୂର୍ଣ୍ଣିଝଡ ସହ ବଜ୍ରାଘାତ ନେଇ ଆକଳନ କରାଯାଇଛି । ମୋଟାମୋଟି ଭାବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ସହିତ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରାଇଦେଇଛି ।