ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ ଏବଂ ୬ ଗୁରୁତର, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୦୧ : ବ୍ରହ୍ମପୁର ସହର ହଳଦିଆପଦର ଛକ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ନିକଟରେ ତିନୋଟି ବାଇକ୍ ଧକ୍କା ଦେଇଛି ଟ୍ରକ୍ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖରଙ୍କ ସୂଚନା ମୁତାବକ, ଆଜି ଏକ ଟ୍ରକ୍ ହଳଦିଆପଦର ଛକ ନିକଟସ୍ଥ ଓଭରବ୍ରିଜ୍ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଭୁଲ ପାର୍ଶ୍ୱରେ ତିନୋଟି ବାଇକୁ ଧକ୍କା ଦେଇ ପ୍ରାୟ ଶହେ ମିଟର୍ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ଡାକ୍ତର ଆଉ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ପୁରୁଷ ଅଟନ୍ତି । ଅନ୍ୟ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କିଛି ବ୍ୟକ୍ତିଙ୍କ ପରିଚୟ ମିଳିଛି । ସେମାନଙ୍କ ପରିବାରକୁ ଖବର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟସ୍ୱଜନଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ୪ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।