ଭାରତ ଓ ଚୀନ ମଧ୍ୟରେ ୫ ସୂତ୍ରୀ ସହମତି : ଏଲଏସିରେ ସ୍ଥିତି ସୁଧୁରିବ

ନୂଆଦିଲ୍ଲୀ, ୧୧/୯ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ମସ୍କୋରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଅଢ଼େଇ ଘଣ୍ଟାର ସାକ୍ଷାତକାର ହୋଇଛି । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କର ଚୀନ ସମକକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ବୈଠକ ସମୟରେ ସୀମା ଉପରେ ଦେଖାଯାଇଥିବା ଉତ୍ତେଜନା ନେଇ ୫ ସୂତ୍ରୀ ସହମତି ହୋଇଛି । ଏଥି ସହିତ ଉଭୟ ପକ୍ଷ ଏହାରି ଉପରେ ରାଜି ହୋଇଛନ୍ତି ଯେ, ଆଲୋଚନା ଜାରି ରଖିବେ ଏବଂ ସୈନ୍ୟଙ୍କୁ ହଟାଇବା ଲାଗି ପ୍ରକ୍ରିୟାରେ ତୀବ୍ରତା ଆଣିବେ ।

ପଞ୍ଚସୂତ୍ରୀ ଗୁଡିକ ହେଲା-

୧- ସୀମାରେ ମୁତୟନ ଉଭୟ ଦେଶର ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ଯଥାଶୀଘ୍ର ସୈନ୍ୟ ଅପସାରଣ ସହ ଉତ୍ତେଜନା ହ୍ରାସ ଲାଗି ଉପଯୁକ୍ତ ଦୂରତା ଅବଲମ୍ବନ କରିବା ଉଚିତ୍।

୨- ସୀମା ସମ୍ପର୍କରେ ଭାରତ ଓ ଚୀନ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟକଲକୁ ଦୁଇ ଦେଶ ସମ୍ମାନ ଦେବେ ।

୩- ଉଭୟ ଦେଶ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବେ ।

୪- ସୀମାକୁ ନେଇ ଥିବା ସମସ୍ତ ଦ୍ଵନ୍ଦ ଦୂର ଲାଗି ସ୍ୱତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରହିବ ।

୫- ସୀମାରେ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରର ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି ।