ନାଗପୁର: ଏଟିଏମରେ ୧୦୦ ମାରିଲେ ବାହାରୁଛି ୫୦୦ ଟଙ୍କିଆ ନୋଟ । ଏଭଳି ଏକ ଘଟଣା ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଏଟିଏମରୁ ₹ ୫୦୦ ଟଙ୍କା ଉଠାଇବାକୁ ଚେଷ୍ଟା କଲାବେଳେ ତାଙ୍କୁ ମିଳିଥିଲା ୨,୫୦୦ ଟଙ୍କା। ସେ ଉତ୍ସୁକ ହୋଇ ଦ୍ବିତୀୟ ଥର ଏପରି କରିବାରୁ ଦ୍ବିତୀୟ ଥର ବି ୫୦୦ ବଦଳରେ ତାଙ୍କୁ ୨,୫୦୦ ଟଙ୍କା ମିଳିଥିଲା। ଏହି ଘଟଣାର ସୂଚନା ସଂପୃକ୍ତ ଅଞ୍ଚଳରେ ବ୍ୟାପିଯିବା ପରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ।
ନାଗପୁର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଖାପରଖଡା ସହରର ଏକ ଘରୋଇ ବ୍ୟାଙ୍କର ଏଟିଏମରେ ବୁଧବାର ଏହି ଘଟଣା ଘଟିଛି। ଧୀରେଧୀରେ ଏହି ଖବର ନିଆଁପରି ବ୍ୟାପିଗଲା ଏବଂ ଖୁବ୍ ଶୀଘ୍ର ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବାହାରେ ଏକ ବିରାଟ ଜନସମାଗମ ହୋଇଥିଲା।
ଜଣେ ବ୍ୟାଙ୍କ୍ କର୍ମଚାରୀ ଏ ସଂପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ଏଟିଏମଟିକୁ ବନ୍ଦ କରିଥିଲା। ବୈଷୟିକ ତ୍ରୁଟି ଥିବାରୁ ଏଟିଏମରୁ ଏପରି ଭାବେ ଅଧିକ ଟଙ୍କା ପଦାକୁ ପଳାଇ ଆସୁଥିଲା, ଯାହାର ଭରପୂର ଫାଇଦା ଉଠାଇଥିଲେ ସ୍ଥାନୀୟ ଲୋକ। ଖାପରଖଡା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଏହା ପରେ ସେ ବ୍ୟାଙ୍କକୁ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ATMରୁ ଅତିରିକ୍ତ ନଗଦ ଟଙ୍କା ବାହାରିଥିଲା। ଅଧିକାରୀ କହିଛନ୍ତି ଯେ ଭୁଲରେ ୫୦୦ ଟଙ୍କିଆ ନୋଟ୍ ୧୦୦ଟଙ୍କା ଏଟିଏମ୍ ଟ୍ରେରେ ରହିଯାଇଥିଲା। ସେ କହିଛନ୍ତି ଯେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ।