କଂଗ୍ରେସରେ ୫୦ ବର୍ଷରୁ କମ ନେତାଙ୍କ ପାଇଁ ୫୦ ପ୍ରତିଶତ ପଦ ସଂରକ୍ଷଣ ରହିବ : ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ ୨୬/୧୦: ଆଜି କଂଗ୍ରେସର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କଂଗ୍ରେସ ନେତାମାନଙ୍କୁ ସମ୍ବୋଧିତ କରି ଖଡ଼ଗେ କହିଛନ୍ତି ଯେ ଜଣେ ସାଧାରଣ କର୍ମୀଙ୍କୁ ଅଧ୍ୟକ୍ଷ କରିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି । ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ସୋନିଆ ଗାନ୍ଧୀ ପରିଶ୍ରମ କରି ଦଳକୁ ସମ୍ଭାଳିଛନ୍ତି । ମୁଁ ମଧ୍ୟ କଠିନ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରିବି । ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି । ଖଡ଼ଗେ ଘୋଷଣା କରିଛନ୍ତି ଯେ ୫୦ ବର୍ଷରୁ କମ୍ ବୟସର ନେତାଙ୍କ ପାଇଁ ଦଳରେ ୫୦ ପ୍ରତିଶତ ପଦବୀ ସଂରକ୍ଷଣ କରାଯିବ । ଏହି ସମୟରେ ଖଡ଼ଗେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନୂଆ ଭାରତରେ ରୋଜଗାର ନାହିଁ । ଦେଶରେ ମୁଦ୍ରାସ୍ଫୀତି ଶିଖରରେ ପହଞ୍ଚିଛି । ସରକାର ଶୋଇଛନ୍ତି । ଇଡି ଏବଂ ସିବିଆଇ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଆଜିର ରାଜନୀତିରେ ମିଥ୍ୟା ଉପରେ ପ୍ରାଧାନ୍ୟ ରହିଛି। ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ମୁଁ ଦଳର ନୂତନ ସଭାପତି ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଉଛି । ସବୁଠାରୁ ସନ୍ତୋଷଜନକ ବିଷୟ ହେଉଛି ଯେ ଯିଏ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ସେ ଅଭିଜ୍ଞ ଏବଂ ତୃଣମୂଳ ସ୍ତରର ନେତା । ଜଣେ ସରଳ କର୍ମୀ ଭାବରେ କାର୍ଯ୍ୟ କରି ସେ ନିଜର ପରିଶ୍ରମ ଏବଂ ନିଷ୍ଠା ବଳରେ ଏହିଠାରେ ପହଞ୍ଚିଛନ୍ତି । ସେହିପରି ଖଡ଼ଗେ କହିଛନ୍ତି ଯେ ଅତୀତରେ ମଧ୍ୟ କଂଗ୍ରେସ ଅନେକ ବଡ଼ ବଡ଼ ଆହ୍ବାନ ଓ ବିପଦର ମୁକାବିଲା କରିଛି । କିନ୍ତୁ କଂଗ୍ରେସ କଦାପି ପରାଜୟ ସ୍ବୀକାର କରିନାହିଁ । ଆମେ ସଂଗ୍ରାମ କରିବା ଓ ଭବିଷ୍ୟତରେ ବିଜୟୀ ହେବା ।

SBI_Festive_Digital Billboard